
ନୟାଗଡ: କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ, ଜିଲ୍ଲାର ଏକମାତ୍ର କୃଷିଭିତିକ ଶିଳ୍ପ ନୟାଗଡ ଚିନିକଳ । ଏହାର ପୁନଃଉଦ୍ଧାର ପାଇଁ ଜିଲ୍ଲାରେ ପୁଣି ତେଜିଛି ଆନ୍ଦୋଳନ । ନିର୍ବାଚନ ଜିତିବାର ସାତଦିନ ଭିତରେ ଚିନିକଳ ଚାଲୁ କରିବାର ପ୍ରତିଶ୍ରୁତି ଦେଇ ସ୍ଥାନୀୟ ବିଧାୟକ ନିଜର ପ୍ରତିଶ୍ରୁତି ରକ୍ଷା ନକରିବାରୁ ବିଭିନ୍ ସଂଗଠନ ଏ ନେଇ ଆନ୍ଦୋଳନର ଡାକରା । ଇତିମଧ୍ୟରେ ବ୍ୟାଙ୍କର ନିଲାମ ନୋଟିସ୍ ପରେ ଶକ୍ତି ଏଂଟର୍ ପ୍ରାଇଜେସ୍ ନାମକ ଗୁଜୁରାଟର ଏକ ସ୍କ୍ରାପ୍ ଡିଲର୍ କାରଖାନାର ଯନ୍ତ୍ରାଂଶ କିଣିଥିବାର ଖବର ଆସିଛି । ଏହାକୁ ନେଇ ଚିନିକଳ କର୍ମଚାରୀ ଓ ଜିଲ୍ଲାର ଆଖୁଚାଷୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଥିବା ଦେଖିବାକୁ ମିଳିଛି ।

ଏକଦା ରାଜ୍ୟର ତୃତୀୟ ଚିନିକଳ ରୂପେ ଖ୍ୟାତି ଅର୍ଜନ କରିଥିବା ନୟାଗଡ ଚିନିକଳ ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ପାଞ୍ଚ ବର୍ଷ ଧରି ବନ୍ଦହୋଇ ପଡିରହିବା ପରେ ଏବେ ଏହାକୁ ନେଇ ଜିଲ୍ଲାରେ ପୁଣି ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ଗୋଟିଏ ପକ୍ଷେ ଚଳିତ ନିର୍ବାଚନରେ ଚିନିକଳକୁ ମୁଦ୍ଦା କରି ସବୁ ରାଜନୈତିକ ଦଳ ନିର୍ବାଚନରେ ଫାଇଦା ନେବାକୁ ଚେଷ୍ଟା କରିଥିବା ବେଳେ ନିର୍ବାଚନ ଜିତିଲେ ଚିନିକଳକୁ ସାତଦିନ ଭିତରେ ଚାଲୁ କରିବା ପାଇଁ ବିଧାୟକ ଅରୁଣ ସାହୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଚଳିତ ବିଧାନ ସଭାରେ ବିଧାୟକ ଅରୁଣ ସାହୁଙ୍କୁ କୃଷିବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବା ବେଳେ ଜିଲ୍ଲାର ଏକମାତ୍ର କୃଷିଭିତିକ ଶିଳ୍ପ ଚିନିକଳକୁ ଚାଲୁକରିବା ବଦଲରେ ଗୁଜୁରାଟର ଏକ ସ୍କ୍ରାପ୍ ଡିଲର୍ କୁ ଚିନିକଳ ଯନ୍ତ୍ରାଂଶ ବିକ୍ରି କରିବା ନେଇ ବ୍ୟାଙ୍କ୍ ନୋଟିସ୍ ପରେ ଏହାକୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଜିଲ୍ଲାର ଶହ ସହ ଆଖୁଚାଷୀ ଓ ବେରୋଜଗାରୀ ଯୁବକଙ୍କ ଭାତହାଣ୍ଡି ସାଜିଥିବା ନୟାଗଡ ଚିନିକଳକୁ ଚାଲୁ କରିବା ପାଇଁ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତିଦେଇ ବିଫଳ ହେବାପରେ ଶେଷରେ ଶକ୍ତି ଏଣ୍ଟରପ୍ରାଇଜେସ୍ ନାମକ ଗୁଜୁରାଟର ଏକ ସ୍କ୍ରାପ୍ ଡିଲରକୁ ୧୮ କୋଟି ଟଙ୍କାରେ କାରକାନାର ଯନ୍ତ୍ରାଂଶ ବିକ୍ରି କରିବା ଖବର ଜିଲ୍ଲାର ଶହ ଶହ ଆଖୁୁଚାଷୀଙ୍କ ମଧ୍ୟରେ ଭାଳେଣି ସୃଷ୍ଟି କରିଛି । ଅନ୍ୟପକ୍ଷେ ଏ ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀ ଓ ବିଭାଗିୟ ମନ୍ତ୍ରୀ ନୀରବ ରହିଥିବା ବେଳେ ଚିନିକଳକୁ ବଂଚାଇବା ପାଇଁ ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲାର ପ୍ରମୁଖ ସଂଗଠନ ମାନେ ଚେତାବନୀ ଦେଇଛନ୍ତି ।
ନୟାଗଡର ଶହ ଶହ ଆଖୁଚାଷୀ ଓ କାରଖାନା କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୟାଗଡ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ଖୁବ୍ ଜରୁରୀ ମନେହେଉଥିବା ବେଳେ ଗୁଜୁରାଟର ଏକ ସ୍କ୍ରାପ୍ ଡିଲର୍ କୁ ଚିନିକଳ ବିକ୍ରିହେବା ଖବର ଜିଲ୍ଲାର ଶହ ଶହ ଅଖୁଚାଷୀଙ୍କ ନିଦ ହଜେଇଦେଇଛି । ଏଣୁ , ଏ ଦିଗରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ସରକାର ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି ।
