ନୂଆଦିଲ୍ଲୀ: ମହାଶିବରାତ୍ରୀରେ ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା । ଆଜି(ସୋମବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, କେଭି ସିଂହ ଦେଓ, ସଭାପତି ବସନ୍ତ ପଣ୍ଡା ଏବଂ ଜୁଏଲ ଓରାମଙ୍କ ଉପସ୍ଥିତିରେ ‘ପଦ୍ମ’ ଧରିଛନ୍ତି ବୈଜୟନ୍ତ ପଣ୍ଡା । ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଜୟ ଯୋଗଦେବା ଅବସରରେ ସମସ୍ତ ନେତା ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି ।
ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ବିଜେପିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତରେ ପ୍ରମାଣିତ ହୋଇଛି । ତେବେ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଜେଡିରୁ ବହିଷ୍କାର ହୋଇଥିବା ବୈଜୟନ୍ତ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା ସାଂସଦ ପଦ ଏବଂ ଦଳରୁ ଇସ୍ତଫା ଦେଇଥିଲେ । ବୈଜୟନ୍ତ ପଣ୍ଡାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷକୃତ୍ୟ ସମୟରେ ବିଜେଡି ସୁପ୍ରିମୋ ଯୋଗ ଦେଇ ନଥିଲେ ।
କେବଳ ସେତିକି ନୁହେଁ ବଂଶୀଧର ପଣ୍ଡାଙ୍କ ଶେଷକୃତ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ବିଜେଡି ସୁପ୍ରିମୋ କିମ୍ବା କୌଣସି ନେତା ଯୋଗ ଦେଇନଥିଲେ । ତେବେ ଏଥିପାଇଁ ସେ ଅତ୍ୟନ୍ତ ଦୁଃଖିତ ଥିବା ନିଜ ଟ୍ୱିଟର ଆକାଉଣ୍ଟରେ ଲିଖିତ ଆକାରରେ ଜଣାଇଥିଲେ । ଶେଷରେ 12 ଜୁନ 2018ରେ ସାଂସଦ ପଦରୁ ଏବଂ 28 ମେ’ 2018ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ ପଣ୍ଡା । ଇସ୍ତଫା ଦେବା ପରେ ଜୟ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେତେବେଳେ ବୈଜୟନ୍ତ କୌଣସି ପ୍ରତିକ୍ରୀୟ ନଦେବା ସହ ଲୋକମାନଙ୍କ ସମ୍ପର୍କରେ ଥିଲେ ।
#ହେଇଯାଉ କାର୍ଯ୍ୟକ୍ରମ ମାଧ୍ୟମରେ ପଲ୍ଲୀରୁ ସହର ଲୋକଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ବୈଜୟନ୍ତ । ଅପରପକ୍ଷରେ ବିଜେଡି ତାଙ୍କୁ ସବୁ ପରିସ୍ଥତିରେ ସିଧାସଳଖ ନହେଲେ ବି ପରୋକ୍ଷରେ ବହୁ ହଇରାଣରେ ପକାଇଥିଲା । ଏମିତିକି ଜୟଙ୍କର 3ଟି ହେଲିକପ୍ଟର ମଧ୍ୟ ଜବତ କରିଥିଲା ପୋଲିସ୍ । କେବଳ ସେତିକି ନୁହେଁ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଦାମ ରାଉତ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ସମସ୍ତ ନେତାଙ୍କୁ ନେଇ ଏକ ଦଳ କରିବା ସହ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିବେ ବୋଲି ଚର୍ଚ୍ଚା ହେଲା ।
ବୈଜୟନ୍ତଙ୍କୁ ନିଜ ପଟକୁ ନେଇ ରାଜନୀତି ମଇଦାନରେ ଟକ୍କର ଦେବେ ବୋଲି ଦାମବାବୁ ପ୍ରତିକ୍ରୀୟା ରଖୁଥିଲେ । ଏତେ ସବୁ କଳ୍ପନା ଜଳ୍ପନା ପରେ ‘ପଦ୍ମ’ ଧରିଛନ୍ତି ବୈଜୟନ୍ତ । ଅନ୍ୟପଟେ ଆସନ୍ତା ନିର୍ବାଚନକୁ ଅଳ୍ପଦିନ ବାକି ରହିଥିବା ବେଳେ ଜୟଙ୍କ ବିଜେପିରେ ଯୋଗଦାନ କେତେ ଇଫେକ୍ଟ ପକାଇବ ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି ।
