ଭୁବନେଶ୍ୱର: ରାଜ୍ୟରେ ରାତ୍ରିକାଳୀନ ଅପରାଧ ବଢ଼ିବାରେ ଲାଗିଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦିନକୁ ଦିନ ଲୁଟ୍ ରାହାଜାନୀ ବଢ଼ିବାରେ ଳାଗିଛି । ଏମିତି ବିଭିନ୍ନ ଖବର ପ୍ରତିଦିନ ଖବର କାଗଜରେ ସ୍ଥାନୀତ ହେଉଛି । ହେଲେ ଏହି ସବୁ ଅପରାଧକୁ ରୋକିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ୍ଲ ସାମଲ । ସେ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗୁଡ଼ିକରେ ଅପରାଧ ରୋକିବାକୁ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ କି ? ବିଗତ 3 ବର୍ଷରେ କେତେ ଅପରାଧୀଙ୍କୁ ଏହି ରାତ୍ରିକାଳୀନ ପାଟ୍ରୋଲିଂ ମାଧ୍ୟମରେ ଗିରଫ କରାଯାଇଛି ?
ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅପରାଧ ରୋକିବା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୋବାଇଲ ପାଟ୍ରୋଲିଂ, ଆଣ୍ଟି ଡକାୟତି ପାଟ୍ରୋଲିଂ, ବିଟ୍ ପାଟ୍ରୋଲିଂ, ଫୁଟ୍ ପାଟ୍ରୋଲିଂ, ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରାଯାଉଛି । ଏଥିପାଇଁ 736 ଚାରିଚାକିଆ ଓ ଦୁଇ ଚକିଆ ଯାନ ବ୍ୟବହାର କରାଯାଉଛି । ଏଥିପାଇଁ 3485 ପୋଲିସ୍ ଷ୍ଟାଫ୍, 4991 ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ଏହା ଛଡ଼ା ନିୟୋଜିତ ହୋଇଥିବା ପୋଲିସ ଓ ହୋମଗାର୍ଡଙ୍କ କାର୍ଯ୍ୟକୁ ତଦାରଖ ପାଇଁ 521 ଜଣ ସୁପ୍ରଭାଇଜିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହା ସହ ଦୁର୍ଘଟଣା ହ୍ରାସ ଓ ଅପରାଧ ନିୟନ୍ତ୍ରଣ ପାଇଁ ସରକାର 4ଟି ଜାତୀୟ ରାଜପଥ ସହ ଗୋଟିଏ ରାଜ୍ୟ ରାଜପଥରେ ହାଇୱେ ପାଟ୍ରୋଲିଂ ପ୍ରଚାଳନକୁ ଅମୁମୋଦନ କରିଛନ୍ତି । ଯେଉଁଥିରେ 119 ଜଣ ଅବସରପ୍ରାପ୍ତ ପୋଲିସ ଅଫିସର ଏବଂ 36 ପାଟ୍ରୋଲିଂ ଯାନର ବ୍ୟବହାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଗତ ତିନି ବର୍ଷ ମଧ୍ୟରେ 26 ହଜାର 687 ଜଣଙ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ମାଧ୍ୟମରେ ଗିରଫ କରାଯାଇଛି ।

