ବାଲେଶ୍ୱର: ପୁଣି ଥରେ ସାମ୍ନାକୁ ଆସିଛି ପ୍ରଶାସନର ଅବହେଳା ଚିତ୍ର । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ କରିନଥିଲା ପ୍ରଶାସନ । ଶେଷରେ ବାଧ୍ୟ ହୋଇ ନିଜେ ନିଜ ସମସ୍ୟାର ସମାଧନ କଲେ ଗ୍ରାମବାସୀ ।
ଆମେ କହୁଛୁ ବାଲେଶ୍ୱର ଜଳେଶ୍ୱର ପୌର ପରିଷଦ ଅଧିନସ୍ତ 10 ନମ୍ବର ୱାର୍ଡର କଥା । ଏହି ଓ୍ୱାର୍ଡ୍କୁ ଭଲ ରାସ୍ତାଟିଏ ନଥିବାରୁ ଲୋକେ ଯାଆ ଆସ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସେ ବାରମ୍ବାର ପ୍ରଶାସନ ନିକଟରେ ରାସ୍ତା ନିର୍ମାଣ ପାଇଁ ଲିଖିତ ଆବେଦନ ମଧ୍ୟ କରିଥିଲେ । ହେଲେ ପ୍ରଶାସନ ଶୁଣିନଥିଲା । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମିଳିତ ଭାବେ ନିଜେ କୋଡ଼ି କୋଦାଳ ଧରି ରାସ୍ତା କାମରେ ଲାଗିଥିଲେ ।

ସମସ୍ତେ ହାତରେ କୋଡି କୋଦାଳ ନେଇ ଲାଗିଥିଲେ ରାସ୍ତା କାମରେ । କିଏ ମାଟି ହାଣୁଲା ତ, କିଏ ସମତୁଲ କଲା, ଆଉ କିଏ ମାଟି ବୋହି ନେଲା । ଏକାଠି ହୋଇ ରାସ୍ତା ନିର୍ମାଣରେ ଲାଗିପଡିଲେ ସମସ୍ତେ । ଏଥିପାଇଁ ପାଣ୍ଠି ସଂଗ୍ରହ କଲେ । ଗ୍ରାମବାସୀଙ୍କ ଏକତା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ଇଞ୍ଜିନିୟର ଅକ୍ଷୟ କର 4 ଲକ୍ଷ ଟଙ୍କା ଦାନ କଲେ । ଏଭଳି ବିଭିନ୍ନ କ୍ଷେତ୍ରରୁ ପାଣ୍ଠି ସଂଗ୍ରହ ହେବା ପରେ, ଶେଷରେ 10 ଲକ୍ଷ ଟଙ୍କା ଏକାଠି ହୋଇଥିଲା । ଆଉ ସେହି ଟଙ୍କାରେ କାନ୍ଧରେ କାନ୍ଧ ମିଶାଇ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ।

ଏବେ ଏହି ରାସ୍ତା ନିର୍ମାଣ ପରେ ସ୍ଥାନୀୟ ଲୋକେ ଉପକୃତ ହେବେ । ତେବେ ବାରମ୍ବାର ଗୁହାରି ପରେ ଅଭିଯୋଗ ଶୁଣୁନଥିବା ପ୍ରଶାସନ ଏବେ ରାସ୍ତା କାମ ସରିବା ପରେ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି । ଯାହାକୁ କି ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି ।ଗ୍ରାମବାସୀଙ୍କ ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ନବନିର୍ମିତ ଏହି ରାସ୍ତାକୁ ବଦାନ୍ୟ ଇଞ୍ଜିନିୟର ଅକ୍ଷୟ କୁମାର କରଙ୍କ ପିତା ସ୍ୱର୍ଗତ ମୃତ୍ୟୁଞ୍ଜୟ କର ମାର୍ଗ ନାମରେ ନାମିତ କରାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, କୁଆଡ଼େ ଗଲା ମୋ ସରକାର ? ଜଳେଶ୍ୱରରେ ଝୁଣ୍ଟିଲା କି ମୋ ସରକାର ?
