ଭୁବନେଶ୍ୱର: ‘ବୁଲବୁଲ୍ ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏହା ସହ ଭିତ୍ତିଭୂମି, ବିଦ୍ୟୁତ୍ ଓ ରାସ୍ତା ମଧ୍ୟ କ୍ଷୟକ୍ଷତି ହୋଇଛି । ଏନେଇ କେନ୍ଦ୍ରକୁ ରିପୋର୍ଟ ଦିଆଯିବ । ରାଜ୍ୟ ସରକାରଙ୍କର ରିପୋର୍ଟକୁ ଅପେକ୍ଷା କରିଛୁ’ । ଏହି କଥା କହିଛନ୍ତି କେନ୍ଦ୍ରୀୟ ଟିମର ଅଧ୍ୟକ୍ଷ ସହେଲି ଘୋଷ ରୟ । ବୁଲବୁଲ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମର ଆଲୋଚନା ହୋଇଥିଲା । ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରିବା ପରେ ସେମାନେ ନିଜର ପ୍ରତିକ୍ରିୟାରେ ଏହା କହିଛନ୍ତି । ପାଖାପାଖି ୨ ଲକ୍ଷ ହେକ୍ଟର ଚାଷ ଜମିରେ ୩୫ ପ୍ରତିଶତ କ୍ଷତି ହୋଇଛି । ବିଦ୍ୟୁତ୍, ଘର କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ଆସିବା ପରେ ପଞ୍ଚାୟତରେ ଅଫିସର ଲିଷ୍ଟି ମରାଯିବ । ଏହା ସହ ଜିଲ୍ଲାର ଓ୍ଵେବସାଇଟ୍ ରେ ପ୍ରଦର୍ଶିତ କରାଯିବ । ଅପରପକ୍ଷେ ରିପୋର୍ଟ ଆସିବା ପରେ ମେମୋରାଣ୍ଡମ ଦିଆଯିବ । ମେମୋରାଣ୍ଡମ ପାଇବା ପରେ କେନ୍ଦ୍ରୀୟ ଟିମ୍ ଚାହିଁଲେ ଆଉଥରେ ଆସି ତଦନ୍ତ କରିପାରନ୍ତି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
