ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ବଡ଼ ପରିବର୍ତ୍ତନ । ଶିକ୍ଷାବ୍ୟବସ୍ଥାରେ ସୁଧାର ଆଣିବାକୁ ଶିକ୍ଷା ବିଭାଗ ନେଇଛି ବଡ଼ ନିଷ୍ପତ୍ତି । ଖୁବ୍ ଶୀଘ୍ର ବିଭିନ୍ନ ସବୁ କଲେଜରେ କରାଯିବ ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ପ୍ରୋଗ୍ରାମ । ଏହା ଦ୍ୱାରା ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜ ଗୁଡିକରେ ରେକର୍ଡ଼ ହୋଇଥିବା ଲେକଚରକୁ ଅନଲାଇନ ଜରିଆରେ ଶିକ୍ଷା ଦାନ କରାଯିବ ।
ସେହିପରି ତିନି ମାସ ଭିତରେ ଉଚ୍ଚ ଶିକ୍ଷା ବିଭାଗର ସମ୍ପୂର୍ଣ ୱେବସାଇଡ୍କୁ ନବୀକରଣ କରାଯିବ । ଏଥିରେ ବିଭାଗର ସବୁ ପ୍ରକାର ତଥ୍ୟ ଉଲ୍ଲେଖ ରହିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର । ଆଜି ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ କାପାସିଟି ବିଲ୍ଡିଂ ୱର୍କସପ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଶିକ୍ଷାବିତ୍ ସସ୍ମିତ ପାଣି ଯୋଗଦେଇଥିଲେ ।
ଏହାସହ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକ ଯୋଗଦେଇଥିଲେ । କଲେଜ ଗୁଡିକରେ ଖାଲି ଥିବା 606 ଅଧ୍ୟାପକ ପଦବୀକୁ ଖୁବ୍ ଶୀଘ୍ର ପୁରଣ କରାଯିବା ସହ ଭିଡ଼ିଓ କନଫରରେନସିଂ ମାଧ୍ୟମରେ କିପରି ଡାଉଟ୍ କ୍ଲିୟରିଂ କ୍ଲାସ୍ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ସେହି ପରି ସମସ୍ତ କଲେଜରେ ମୋ କଲେଜ ସଂଯୋଜକ ନିଯୁକ୍ତ କରାଯିବାକୁ କୁହାଯାଇଛି ।
