ନୂଆପଡ଼ା: ରାଜ୍ୟରେ ଚାଷୀଙ୍କ ଦୁଃଖ କହିଲେ ନସରେ । କେତେବେଳେ ଅତ୍ୟଧିକ ବର୍ଷା କାଳ ସାଜୁଛି ତ କେତେବେଳେ ଅତ୍ୟଧିକ ଖରା କାଳ ସାଜୁଛି । ଆଉ ସବୁ ଶେଷରେ ଚାଷୀଙ୍କୁ ପ୍ରତାରଣା କରୁଛି ପ୍ରଶାସନ । ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯେତେ ଚିନ୍ତା କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଥିଲେ ମଧ୍ୟ ତଳ ସ୍ତରରେ ଚାଷୀଙ୍କ ପାଇଁ କିଛି ଫାଇଦା ମିଳୁନାହିଁ ।
ପ୍ରଶାସନର ସ୍ଥାଣୁତା ଯୋଗୁଁ ଚାଷୀଙ୍କ ଦୁଃଖ ଏବେ ନୂଆପଡ଼ା ଜିଲ୍ଲାରେ ଦୁଇଗୁଣ ହୋଇଛି । ଚାଷୀ ଚାଷ କରି ଧାନ ଉପାର୍ଜନ କଲେ । ହେଲେ ଧାନ କିଣିବାକୁ କେହି ନାହିଁ । ପ୍ରଶାସନ ପକ୍ଷରୁ ଧାନ କଣିବା ପାଇଁ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠାଇବାକୁ ପ୍ରଶାସନ ନାରାଜ୍ । ଧାନର ଅଭାବ ବିକ୍ରି ପାଇଁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
ସେପଟେ ବୋଝ ଉପରେ ନଳିତା ବିଡ଼ା ଭଳି ମୌସୁମୀ ଯୋଗୁଁ ଚାଷୀଙ୍କ ଦୁଃଖ ଆହୁରି ବଢିଯାଇଛି । ମଣ୍ଡିରେ 1000 ବସ୍ତା ଧାନ ଗଦା ହୋଇଛି । ହେଲେ କିଣିବାକୁ କେହି ନାହିଁ । ସେପଟେ ମୌସୁମୀ ବର୍ଷା ଆରମ୍ଭ ହେଲାଣି । ବର୍ଷାରେ ଧାନ କେମିତି ରହିବ ତାକୁ ନେଇ ଚାଷୀର ଚିନ୍ତା ବଢିଯାଇଛି । ଏମିତିକି ଅସରାଏ ବର୍ଷା ହେବା ଫଳରେ ଏବେ ମଣ୍ଡିରେ ଧାନ ଭାସିବା ଆରମ୍ଭ ହେଲାଣି । ଯଥା ଶୀଘ୍ର ଯଦି ମଣ୍ଡିରୁ ଧାନ ଉଠାନଯାଏ ତେବେ ସବୁ ନଷ୍ଟ ହୋଇଯିବ ।
ତେବେ ଏଭଳି ପରିସ୍ଥିତି କେବଳ ନୂଆପଡ଼ା ଜିଲ୍ଲା ପ୍ରଶାସନର ଅବହେଳା ଓ ମିଲର୍ସଙ୍କ ମନମାନି ଯୋଗୁଁ ଉପୁଜିଥିବା ଅଭିଯୋଗ କରିଛନ୍ତି ଚାଷୀ ।ଜିଲ୍ଲାର ଜଡ଼ାମୁଡ଼ା, ଦୁମେର ପାଣି, ବେଲ୍ ଟୁକୁରି, ଡମଝର ଭଳି ବିଭିନ୍ନ ମଣ୍ଡିରେ ଧାନ ନ ଉଠିବାରୁ ଚାଷୀ ଏବେ ଚିନ୍ତାରେ । ଗତ କିଛି ଦିନ ହେଲା ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଦେଖା କରି ଦୁଃଖ ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ । ଅନ୍ୟପଟେ ଧାନ କିଣା ପାଇଁ ଧାର୍ଯ୍ୟ ଅବଧି ସରିଯାଇଛି । ତେଣୁ ଆଉ ଧାନ କିଣାଯାଇ ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ତେଣୁ ଆଜି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାନ ବସ୍ତା ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।