ଭୁବନେଶ୍ୱର/ କେନ୍ଦୁଝର: ମଦ ବିକ୍ରୀକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାରୀ ସ୍ତରରେ ହୋଇଥିବା ନିଷ୍ପତ୍ତିକୁ ବିରୋଧ । ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ମିଳିତ ଓଡିଶା ନିବାରଣ ଅଭିଯାନ । ଆସନ୍ତା 22 ତାରିଖ ସୁଦ୍ଧା ସରକାର ତାଙ୍କର ନିଷ୍ପତି ପ୍ରତ୍ୟାହାର ନକଲେ ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।
ରାଜ୍ୟରେ ନୂଆ ମଦୁଆ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରଚେଷ୍ଟା । ରାଜ୍ୟରେ ଛୁଟିବ ମଦର ବନ୍ୟା । ଅଧିକ ମଦ ବିକ୍ରୀ କଲେ ମିଳିବ ପ୍ରୋତ୍ସାହନ । ଏପରିକି ବିବାହ, ବ୍ରତ, ଜନ୍ମଦିନ ପାର୍ଟି ଭଳି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅସ୍ଥାୟୀ ମଦ ଲାଇସେନ୍ସ ପ୍ରଦାନ କରିବା ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପକ୍ରିୟା । ସରକାରଙ୍କ ଏପରି ନୀତିକୁ ବିରୋଧ କରି ଖୋଦ୍ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଆଗରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି । ମଦ ନିଏ ଜୀବନ । ମଦ ଉଜାଡେ ସଂସାର । ମଦ ଦ୍ୱାରା ମହିଳା ଓ ଶିଶୁ ବିରୋଧରେ ବଢୁଛି ହିଂସା । ମଦ ଦ୍ୱାରା ପଥଭ୍ରଷ୍ଟ ହଉଛନ୍ତି ଯୁବପିଢି । ମଦ ବନ୍ଦର ଲଢେଇ ବ୍ୟକ୍ତିଗତ ନୁହେଁ, ଏହା ଓଡିଶାବାସୀଙ୍କ ପାଇଁ । ଏଭଳି ସ୍ଲୋଗାନ ଦେଇ ଆଜି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଉ ସରକାର ନେଇଥିବା ନିଷ୍ପତି ବନ୍ଦ ନକଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଗଠନ ।
ରାଜସ୍ୱ ଆଦାୟ ନାଁରେ ମଦ ବ୍ୟବସାୟକୁ ପ୍ରୋତ୍ସାହନ ଦେବାରେ ଲାଗିଛି ଅବକାରୀ ବିଭାଗ । ଯାହାକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ । କେବଳ ବିରୋଧୀ ନୁହେଁ, ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଖୋଦ୍ ଶାସକ ଦଳର ବିଧାୟକ । ଚାରିଆଡୁ ସରକାରଙ୍କୁ ସମାଲୋଚନା ପରେ ଘଟଣା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଆଉ ସେପଟେ ମଦ ପାଇଁ ଖଣ୍ଡପ୍ରଳୟ ଦେଖିବାକୁ ମିଳିଛି । ମଦବିକ୍ରିକୁ ବିରୋଧ କରି କେନ୍ଦୁଝର ଜିଲ୍ଲାରେ ମଦଦୋକାନ ଭାଙ୍ଗିଛନ୍ତି ମହିଳା । ଘଷିପୁରା ଅଞ୍ଚଳରେ ଶତାଧିକ ମହିଳା ଏକାଠି ହୋଇ ମଦ ଦୋକାନ ଭାଙ୍ଗିଛନ୍ତି ।
ରାଜ୍ୟରେ ଛୁଟିବ ମଦର ବନ୍ୟା, ଆଉ ନୂଆ ମଦୁଆ ତିଆରି କରିବାରେ ଲାଗିଛନ୍ତି ସରକାର । ଏପରି କଥା କହି ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
