ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟକୁ ସହଜରେ ହଜମ କରିପାରୁନାହାନ୍ତି ଦଳର ବରିଷ୍ଠ ନେତା । ସିଧାସଳଖ ଭାବେ ଏନେଇ ପିସିସିଙ୍କୁ ଦାୟୀ କରୁଛନ୍ତି ନେତା । ପିସିସି ସଭାପତି ଦୋଷ ସ୍ୱୀକାର କଲେ ମଧ୍ୟ କଂଗ୍ରେସରେ ଦାନା ବାନ୍ଧିଥିବା ଅସନ୍ତୋଷ ଥମିବାର ନାଁ ଧରୁନି । ସେପଟେ ଆଜି କଂଗ୍ରେସରେ ଆରମ୍ଭ ହୋଇଛି ଆତଙ୍କୀ ଥିଓରୀ...ଆଉ ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ଓ ହେମାନନ୍ଦ ବିଶ୍ୱାଳ ।
ବିଜେଡି ପାଖରେ ବିକ୍ରୀ ହୋଇଗଲା କଂଗ୍ରେସ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜର୍ଜ ତୀର୍କି । ସେହିପରି କଂଗ୍ରେସ ଦଳରେ ଆତଙ୍କୀ ରହିଛନ୍ତି ବୋଲି ମଧ୍ୟ ଖୋଲାଖୋଲି ଭାବେ ଦଳର ବରିଷ୍ଠ ନେତା ମାନେ କହି ବୁଲୁଛନ୍ତି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ଧରାଶାୟୀ ହେବା ପରେ ଏବେ ଦଳରେ ଆରମ୍ଭ ହୋଇଛି ବାକ୍ ବିତଣ୍ଡା । ଆଉ ଏହି ଅସନ୍ତୋଷ ମଧ୍ୟରେ ନିଆଁରେ ଘିଅ ଢାଳୁଛନ୍ତି ଟିକେଟ ପାଇନଥିବା ଓ ପିସିସିର ଅଣଦେଖାର ଶିକାର ହୋଇଥିବା ଅଧିକାଂଶ ନେତା । ସେପଟେ ଦଳରେ ଆତଙ୍କୀଥିବା କଥାକୁ ସ୍ୱୀକାର କରିଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । ଦଳ ଭିତରେ ରହି ଯେଉଁମାନେ ଦଳ ପାଇଁ କାର୍ଯ୍ୟ କରିନାହାଁନ୍ତି ସେମାନେ ହେଉଛନ୍ତି କଂଗ୍ରେସ ଆତଙ୍କୀ ବୋଲି କହିଛନ୍ତି ପିସିସି ମୁଖିଆ । ତେବେ ପିସିସି ସଭାପତିଙ୍କ ଏପରି ବୟାନକୁ ନେଇ କଂଗ୍ରେସ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ ।
ଅନ୍ୟପଟେ ‘କଂଗ୍ରେସ ବାପ ପୁଅଙ୍କ ଦଳ’ ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ହେଭିୱେଟ କାହ୍ନୁ ଲେଙ୍କା ଓ ହେମାନନ୍ଦ ବିଶ୍ୱାଳ । ବାପ ପୁଅ ଓ ବାପ ଝିଅ ଟିକଟ ନେଇଥିବା ନେତାମାନେ ଦଳର ପରାଜୟ ପାଇଁ ଦାୟୀ ବୋଲି କାହ୍ନୁ ମନ୍ତବ୍ୟ ଦେବା ସହ କଂଗ୍ରେସ ଦଳରେ ଦଲାଲ ଓ ବେପାରୀ ରହିଛନ୍ତି ବୋଲି କହିଛନ୍ତି କାହ୍ନୁ । ତେବେ ଘର ଭିତରେ ବସି କହିଦେଲେ କିଛି ହୁଏ ନାହିଁ ଓ ନିର୍ବାଚନ ଲଢ଼ିବା ପାଇଁ କାହ୍ନୁଙ୍କ କୌଣସି ଏରିଆ ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।
କହିବାକୁ ଗଲେ, କଂଗ୍ରେସ ଦଳର କଳି ଏବେ ହାଟରେ ପଡି ଦାଣ୍ଡରେ ଗଡିବାରେ ଲାଗିଛି । ଆଉ ଏଭଳି ସ୍ଥିତିରେ ବରିଷ୍ଠ ନେତାଙ୍କ ମୁହାଁମୁହିଁ କଂଗ୍ରେସ କନ୍ଦଳକୁ ଏବେ ଆହୁରି ବଢାଇ ଦେଇଛି । ଏଭଳି ପରିସ୍ଥିତିରେ କଂଗ୍ରେସ ଦଳ କିପରି ସଂଗଠନ ମଜବୁତ୍ କରି ଆଗାମୀ ଦିନରେ ରାଜ୍ୟରେ ସ୍ଥିତି ସୁଧାରିବ ତାହା ଦେଖିବାକୁ ବାକି ରହିଲା ।
