କଟକ: ଏଥର କଟକରେ କଡା ଟକ୍କର । କେହି କାହାକୁ କମ୍ ନୁହଁନ୍ତି । ତିନିଦଳର ଛାମୁଆ ଏହି ଐତିହାସିକ ସହରରେ ନିର୍ବାଚନୀ ମଇଦାନକୁ ଓହ୍ଳାଇଥିଲେ ମଧ୍ୟ ଦ୍ୱିମୁଖୀ ଲଢେଇ ହେବ ବୋଲି କୁହାଯାଉଛି । ବିଜେଡି ଓ ବିଜେପି ମଧ୍ୟରେ ଏଥର ମୁଖ୍ୟ ଲଢେଇ । କଟକ ଲୋକସଭା ଆସନ ପାଇଁ ଗୋଟିଏ ପଟେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଥିବା ବେଳେ ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର । ଏହି ଦୁଇ ନେତାଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ସେହିପରି କଂଗ୍ରେସ ମଧ୍ୟ ନିଜର ଛାମୁଆ ନେତା ପଞ୍ଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରିଛି ।
ବିଜେଡି କଟକ ଲୋକସଭା ଆସନ ପାଇଁ ୫ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୁଣି ପ୍ରାର୍ଥୀ କରିଛି । ଅପରପକ୍ଷରେ ବିଜେପି ଆଇପିଏସ୍ ଅଧିକାରୀ ତଥା ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ବହୁ ଛକାପଞ୍ଝା ପରେ କଂଗ୍ରେସ ଦଳ ପକ୍ଷରୁ ଭେଟେରାନ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି।
କଟକ ଉପରେ ହେଭିୱେଟ୍ଙ୍କ ନଜର । ବିଜେଡି ସୁପ୍ରିମୋ ଭର୍ତ୍ତୃହରିଙ୍କୁ ଷଷ୍ଠ ଥର ସାଂସଦ କରାଇବା ପାଇଁ ଅଣ୍ଟା ଭିଡିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ କଟକ ଆସି ରୋଡ୍ ସୋ’ କରିଛନ୍ତି । କିନ୍ତୁ ପ୍ରଚାରରେ ପଛରେ ପଡିଯାଇଛନ୍ତି ପଞ୍ଚାନନ କାନୁନଗୋ ।
କଟକରେ ଭର୍ତ୍ତୃହରି ମହତାବ 5ଥର ସାଂସଦ ହୋଇ ନିଜର ଦବଦବା ବଜାୟ ରଖିଥିବା ବେଳେ ପ୍ରକାଶ ମିଶ୍ର ମଧ୍ୟ ଜଣେ କଡା ପୋଲିସ ପ୍ରଶାସକ ଭାବେ ବିଶେଷ ନାଁ କମାଇଛନ୍ତି । ଜଣେ ପ୍ରଶାସକ ହୋଇଥିବାରୁ ତାଙ୍କର ମଧ୍ୟ ଲୋକପ୍ରିୟତା ଅଧିକ । ତେଣୁ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।
କଟକ ଲୋକସଭା ଅଧୀନରେ ଥିବା ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯଥା ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ବଡମ୍ବା, ଆଠଗଡ, ବାଙ୍କି ଓ ଖଣ୍ଡପଡ଼ା ରହିଛି । ଲଗାତର ଭାବେ ଭର୍ତ୍ତୃହରି ମହତାବ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ତେଣୁ ଏହା ବିଜେଡି ଗଡ ଭାବେ ପରିଚିତ ।
ବିଜୁ ଜନତା ଦଳ ଗଠନ ହେବାଠାରୁ ଏହି ଆସନରେ ଭର୍ତ୍ତୃହରି ମହତାବ କ୍ରମାଗତ ୫ଟି ନିର୍ବାଚନ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ସାଂସଦ ଭାବେ ବିଜୟୀ ହୋଇଆସୁଛନ୍ତି । ଗତଥର(୨୦୧୪) ନିର୍ବାଚନରେ ଭର୍ତ୍ତୃହରି ବିପୁଳ ସଂଖ୍ୟାରେ ଭୋଟ୍ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅପରାଜିତା ମହାନ୍ତିଙ୍କୁ ସେ ୩ ଲକ୍ଷ ୬ ହଜାର ୭୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବିଜେପି ପକ୍ଷରୁ ସମୀର ଦେଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେ ମାତ୍ର ୧ ଲକ୍ଷ ୪୬ ହଜାର ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ଏଥର ତିନି ଦଳରୁ ହେଭିୱେଟଙ୍କୁ ଦେଖିବାକୁ ମିଳୁଛି ।
ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଜଣେ ସଚ୍ଚୋଟ, ନିର୍ମଳ ଭାବମୂର୍ତ୍ତି ଆଇପିଏସ୍ ଅଧିକାରୀ ଭାବେ ପରିଚିତ । ବିଜେପି ପ୍ରକାଶଙ୍କୁ ପ୍ରାର୍ଥୀ କରି କଟକ ଲୋକସଭା ଆସନରେ ବିଜେଡିକୁ କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।
ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଶତ୍ରୁତା ଦିନେ ମିଡିଆରେ ଚର୍ଚ୍ଚାରେ ଥିଲା । ନବୀନ ପଟ୍ଟନାୟକଙ୍କ ସରକାର, କିଭଳି ପ୍ରକାଶଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେଇ ଓଡ଼ିଶା ପ୍ରତି ଅବହେଳା କରିଛନ୍ତି ସେ କଥା ସମସ୍ତେ ଜାଣିଛନ୍ତି । ଏକ ମନଗଢ଼ା ଦୁର୍ନୀତି ମାମଲାରେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମ୍ଡି ପ୍ରକାଶ ମିଶ୍ରଙ୍କୁ ଛନ୍ଦିଥିଲେ ବିଜେଡି ସରକାର । ତେଣୁ ଲଢେଇ କେବଳ ମଇଦାନରେ ନୁହେଁ, ବ୍ୟକ୍ତିଗତ ସ୍ତରରେ ଲଢେଇ ହେବା ଆରମ୍ଭ ହୋଇଯାଇଛି । ସୁଯୋଗକୁ କୌଣସି ପ୍ରକାରେ ହାତ ଛଡା କରିବାକୁ ଚାହାନ୍ତି ନାହିଁ ପ୍ରକାଶ । ତେଣୁ ଏଥିପାଇଁ ରଣନୀତି ପ୍ରସ୍ତୁତ କରି, ତୃଣମୂଳ ସ୍ତରରୁ ନିଜର ପ୍ରଚାର କରିଛନ୍ତି ।
ପୋଲିସ ବିଭାଗରେ ପ୍ରକାଶଙ୍କ ପ୍ରତି ଏବେବି ଯଥେଷ୍ଟ ସମ୍ମାନ ରହିଛି । ଯାହା ଖବର ରହିଛି ପୋଲିସ ମହାସଂଘ, ଗୁଇନ୍ଦା ବିଭାଗ ଏବଂ ସମସ୍ତ ଥାନାର କର୍ମଚାରୀ ପ୍ରକାଶଙ୍କ ଜିତାଇବାକୁ ଚାହୁଁଛନ୍ତି ।
ସେପଟେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ପଞ୍ଚାନନଙ୍କର କଟକ ଜିଲ୍ଲାରେ ଭଲ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି । ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କାନୁନଗୋ କହିଛନ୍ତି ।
କଟକରେ ଏଥର କଡା ଟକ୍କର ହେବାକୁ ଥିବା ବେଳେ କିଏ କାହାକୁ ଦେବ ମାତ୍, ଏହି ପ୍ରଶ୍ନ ଉଠୁଛି । ଲୋକେ ପରିବର୍ତ୍ତନ ଚାହୁଛନ୍ତି ଏବଂ ପ୍ରକାଶ ମିଶ୍ର ଜଣେ ସଚ୍ଚୋଟ ଅଧିକାରୀ ଭାବେ ଭଲ ନାଁ କମାଇଛନ୍ତି । ଭର୍ତ୍ତୃହରି 5 ଥର ସାଂସଦ ହୋଇଥିଲେ ମଧ୍ୟ ପ୍ରକାଶ ମିଶ୍ର ଖୁବ୍ କମ୍ ଦିନରେ ଢେର୍ ଲୋକପ୍ରିୟତା ହାସଲ କରିସାରିଲେଣି ।
ସେହିପରି କେନ୍ଦ୍ରରେ ମୋଦି ହାୱା ମଧ୍ୟ ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ଲୋକସଭା ପଠାଇବାକୁ ଚାହୁଛନ୍ତି କଟକବାସୀ । ତେଣୁ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।
ଭର୍ତ୍ତୃହରି ମହତାବ ନା ପ୍ରକାଶ ମିଶ୍ର, ଆପଣ କାହାକୁ ଲୋକସଭା ପଠାଇବାକୁ ଚାହାନ୍ତି ? ନିଜର ମତାମତ ଦିଅନ୍ତୁ..
