ବ୍ରହ୍ମଗିରି: ଫୋନିର ତାଣ୍ଡବକୁ ବିତିଗଲାଣି ୬ ଦିନ । ଏଯାଏଁ ସ୍ୱାଭାବିକ ହୋଇନି ବିଦ୍ୟୁତ ସେବା । ଲୋକଙ୍କ ପାଖରେ ପହଁଚିନାହିଁ ରିଲିଫ୍ । ଲୋକେ ଅତିଷ୍ଠ । ଏହା ହେଉଛି ଫୋନିରେ ସବୁଠାରୁ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର କଥା ।
ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ସାଜିଛି ନିଦାବିଷ୍ଣୁ । ଏପରି ସ୍ଥିତିରେ ଦୁର୍ଗମ ମହିଷା ଓ ବ୍ରହ୍ମପୁରା ଅଞ୍ଚଳକୁ ନଦୀ ପାର୍ ହୋଇ ବାଇକ୍ ଯୋଗେ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପଚାରି ବୁଝିଥିଲେ ବାତ୍ୟା ବିପନ୍ନଙ୍କ ଦୁଃଖକଷ୍ଟ । ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ । ଗରିବ ମତ୍ସ୍ୟଜୀବିଙ୍କ ରହିବା ସ୍ଥାନ । ସ୍ୱାଧୀନତାର ୭୦ ବର୍ଷ ପରେ ବି ବିକାଶ ସେମାନଙ୍କ ପାଇଁ ଅପହଞ୍ଚ । ଆଉ ଏପରି ସ୍ଥିତିରେ ସେମାନଙ୍କ ପାଇଁ ଦାଉ ସାଜିଛି ବାତ୍ୟା ଫୋନି । ଫୋନିର ତାଣ୍ଡବରେ ଛାରଖାର ହୋଇପଡିଛି ଏହି ଦୁଇ ଅଞ୍ଚଳ । ବିଶେଷ କରି ବ୍ରହ୍ମପୁରା ଓ ମହିଷା ଅଞ୍ଚଳ ବାସୀଙ୍କ ଦୁଃଖ କହିଲେ ନ ସରେ ।
ବାତ୍ୟାରେ ଭାଙ୍ଗିଯାଇଛି ଘର ଆଉ ଖୋଲା ଆକାଶ ତଳେ ଅନ୍ଧକାର ମଧ୍ୟରେ ରହିଛନ୍ତି ଶହଶହ ପରିବାର । ବାତ୍ୟାର ୬ ଦିନ ପରେ ବି ସେମାନଙ୍କ ପାଖରେ ପହଁଚିପାରିନାହିଁ ରିଲିଫ୍ । ସେପଟେ ଏହି ଦୁର୍ଗମ ଅଞ୍ଚଳକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାସ୍ତା ନଥିବା ଏହି ଅଞ୍ଚଳକୁ ଡଙ୍ଗାରେ ପାର୍ ହେବା ସହ ମୋଟରସାଇକେଲ ଯୋଗେ ଯାଇ ପହଁଚିଥିଲେ ବାତ୍ୟା ବିଧ୍ୱସ୍ତ ଲୋକମାନଙ୍କ ନିକଟରେ .....ଆଉ ପଚାରି ବୁଝିଥିଲେ ସେମାନଙ୍କର ସୁଖଦୁଃଖ...ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ପାଇଁ ପ୍ରାକୃତିକ ଦୁର୍ବିପାକ ଚିର ସହଚର । ସେ ଫାଇଲିନ୍ ହେଉ ଅବା ଫୋନି ସବୁବେଳେ କ୍ଷତିଗ୍ରସ୍ତ ହୋଇଥାଏ ଏହି ଅଞ୍ଚଳ....ହେଲେ ଏହି ଅଞ୍ଚଳର ଲୋକମାନେ ସବୁବେଳେ ସମସ୍ୟା ମଧ୍ୟରେ ରହିଥିବା ବେଳେ ନା ଦେଖା ମିଳେ ପ୍ରଶାସନିକ ଅଧିକାରୀଙ୍କର ନା ସ୍ଥାନୀୟ ଲୋକପ୍ରତିନିଧିଙ୍କର । ହେଲେ ଫୋନିର ତାଣ୍ଡବ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଦୁଇ ଅଞ୍ଚଳ ବୁଲିବା ବେଳେ ସାଧାରଣ ଜନତା ଶୁଣାଇଥିଲେ ତାଙ୍କର ମନର କଥା ।
ଅନ୍ୟପଟେ ପୁରୀ ଜିଲ୍ଲାରେ ଦେଖାଦେଇଥିବା ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ । କେବଳ ବ୍ରହ୍ମଗିରି କିମ୍ବା କୃଷ୍ଣପ୍ରସାଦ ନୁହେଁ....ପୁରୀ ଜିଲ୍ଲା ସମେତ ଅନ୍ୟାନ୍ୟ ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ବୁଲିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ସ୍ଥିତି ଉପରେ ଅବଗତ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି ଧର୍ମେନ୍ଦ୍ର । ଓଡିଶାରେ ବାତ୍ୟା ବିପନ୍ନ ମାନଙ୍କୁ ସହାୟତା ପାଇଁ ସମସ୍ତ ମନ୍ତ୍ରଣାଳୟ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ।
