
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିଶାନାରେ ରାଜ୍ୟ ସରକାର । ମନ୍ତ୍ରୀ ମଣ୍ଡଳ ଗଠନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । କହିଛନ୍ତି ରାଜ୍ୟ କ୍ୟାବିନେଟରେ ଆଦିବାସୀ ବିଭାଗକୁ ସ୍ଥାନ ମିଳିନି । ଆଦିବାସୀଙ୍କୁ ଅପମାନିତ କରାଯାଇଛି । ସମ୍ବିଧାନ ପ୍ରତି କୁଠାରଘାତ କରାଯିବା ସହ ଓଡିଶାର ଭାଗ୍ୟ ସହ ଖେଳ ଖେଳାଯାଇଛି । ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଓ ଆଉ ଥରେ ଶପଥ ପାଠ କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀକାନ୍ତ ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଅସାମ୍ବିଧାନିକ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀକାନ୍ତ ଜେନା । ଏପରି ସାଙ୍ଘାତିକ ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀକାନ୍ତ ସରକାରଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ମନ୍ତ୍ରୀ ମଣ୍ଡଳ ଗଠନ ବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ହୋଇଛି ଖୋଲାଖୋଲି ଉଲ୍ଲଂଘନ । ସମ୍ବିଧାନର ଧାରା ୧୬୪ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମନ୍ତ୍ରୀ ମାନଙ୍କୁ ରାଜ୍ୟପାଳ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥାନ୍ତି । ତେବେ ବିହାର, ମଧ୍ୟପ୍ରଦେଶ ଓ ଓଡ଼ିଶା ଆଦିବାସୀ ବହୁଳ ହୋଇଥିବାରୁ ଏରାଜ୍ୟ ଗୁଡିକରେ ଏକ ସ୍ୱତନ୍ତ୍ର ବିଧି ରହିଛି । ଏହି ତିନୋଟି ରାଜ୍ୟରେ ଆଦିବାସୀ ବ୍ୟପାର ବିଭାଗ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିଆଯିବା କଥା । କିନ୍ତୁ ନବୀନଙ୍କ ପଂଚମ ପାଳି ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣରେ ଏପରି କରାଯାଇ ନଥିବା ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି । ତେବେ ଜାଣି ଶୁଣି ନବୀନ ଏ ବର୍ଗର ଲୋକଙ୍କୁ ଅପମାନିତ କରିବା ସହ ସମ୍ବିଧାନର କୁଠାରଘାତ କରିଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି ।
ଅନ୍ୟପଟେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ଏଭଳି ସାଧାରଣ ଜ୍ଞାନର କିପରି ଅଭାବ ରହିଲା ବୋଲି ପ୍ରଶ୍ନ କରିଛନ୍ତି ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି । ଓଡିଶାରେ ଶତକଡା ୨୨ ପ୍ରତିଶତରୁ ଅଧିକ ଆଦିବାସୀ ବସବାସ କରୁଥିବାରୁ ରାଜ୍ୟ ସରକାରରେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଆଦିବାସୀ ବ୍ୟପାର ବିଭାଗରେ ରହିବାର ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ସଂଶୋଧନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ରାଜ୍ୟ ମନ୍ତ୍ରୀ ମଣ଼୍ଡଳ ଗଠନକୁ ନେଇ ଚଳିତ ଥର ଚର୍ଚ୍ଚାରେ ରହିଛନ୍ତି ରାଜ୍ୟ ସରକାର । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଏପରି ପ୍ରଶ୍ନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।
