Prime Odisha @ 7 Pm
କଂଗ୍ରେସ ପାଇଁ ବିଜେଡି-ବିଜେଡି କନ୍ଦଳ

ଭଦ୍ରକ: ଶାସକ ଦଳରେ ଚାଲିଛି ଗୋଷ୍ଠୀ କନ୍ଦଳ । ଗତକାଲି ଚାନ୍ଦବାଲିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାନ୍ଦବାଲିରେ ଉପୁଜିଥିଲା ବିଜେଡି-ବିଜେଡି କନ୍ଦଳ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୁଦ୍ଧରେ ଦେଖାଦେଇଛି ଏହି ଗୋଷ୍ଠୀ କନ୍ଦଳ । ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳ ଏବଂ ବିଧାୟକଙ୍କ ବ୍ୟୋମକେଶ ରାୟଙ୍କ ମଧ୍ୟରେ ଚାଲିଛି ବିରୋଧାଭାସ । ସମାନ୍ତରାଳ ଭାବେ ଉଭୟଙ୍କ ସମର୍ଥକ ଗୋଷ୍ଠୀ ଚାନ୍ଦବାଲିରେ ନିଜ ନିଜର ପତିଆରେ ବଢାଇବାରେ ଲାଗିପଡିଛନ୍ତି ।
ଏହିକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ପୂର୍ବରୁ ଜିଲ୍ଲା ଉପସଭାପତିଙ୍କ ଗୋଷ୍ଠୀର 300ରୁ ଅଧିକ ସମର୍ଥକ ଗାଡି ଧରି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଶୋଭାଯାତ୍ରା କରି ଯାଇଥିଲେ । ଗାଡିଗୁଡିକରେ ଲାଗିଥିବା ବ୍ୟାନରରେ ଲେଖାଥିଲା, ‘ବ୍ୟୋମକେଶ ହଟାଅ, ଚାନ୍ଦବାଲି ବଞ୍ଚାଅ ।’ ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା ।
ତେବେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ବିରୋଧୀ ଗୋଷ୍ଠୀଙ୍କ ଗସ୍ତ ସମୟରେ ରାସ୍ତାରେ ତାଙ୍କୁ ବିଧାୟକ ବ୍ୟୋମକେଶ ରାୟଙ୍କ ସମର୍ଥକମାନେ ଅଟକାଇଥିଲେ ଏବଂ ସେମାନଙ୍କ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ ବୋଲି ଅଭିଯୋଗ ଆସିଛି । ବିଧାୟକଙ୍କ ସମର୍ଥକ ଗାଡି ଭଙ୍ଗାରୁଜା କରିବା ସମୟରେ ତିନି ଜଣ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଅସନ୍ତୁଷ୍ଟ ଗୋଷ୍ଠୀକୁ ପୋଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ଦେଇନଥିଲା । ଏନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି ।
ସୂଚନା ଥାଉ କି, ଏହି ଘଟଣା ଏବେ ଦଳୀୟ ମୁଣ୍ଡବ୍ୟଥାର କାରଣ ସାଜିଛି । ଅନ୍ୟପଟେ କଂଗ୍ରେସ ସହ ଅଘୋଷିତ ମେଣ୍ଟ ଚାଲିଥିବା ଅଭିଯୋଗରେ ବିଧାୟକ ବ୍ୟୋମକେଶ ରାୟଙ୍କୁ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳ ଓ ତାଙ୍କ ସମର୍ଥକମାନେ ଖୋଲାଖୋଲି ବିରୋଧ କରୁଛନ୍ତି ।


Download Argus News App
