ଭୁବନେଶ୍ୱର: ଜଗନ୍ନାଥ ଧାମ ରାଜନୀତି ମଇଦାନରେ ତିନି ମୁଖପାତ୍ର ସାମ୍ନାସାମ୍ନି । ରାଜ୍ୟର ପ୍ରମୁଖ ଲୋକସଭା ଆସନ ପୁରୀ ପାଇଁ ତିନୋଟି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ବାଛିଛି ନିଜ ହେଭିଓ୍ୱେଟ୍ ନେତାଙ୍କୁ । ତିନୋଟି ଦଳରୁ ତିନି ମୁଖପାତ୍ର । ବାକ୍ ଚାତୁରୀରେ ଉସ୍ତାଦ୍ । ପୁରୁଖା ଓ ଦମ୍ଦାର ରଣନୀତି । ତେବେ 22ବର୍ଷ ଧରି ବିଜେଡିର କବ୍ଜାରେ ଥିବା ପୁରୀ ଲୋକସଭା ନିର୍ବାଚନ ଚଳିତ ବର୍ଷ କାହିଁକି ଭିନ୍ନ ହେବ ଆସନ୍ତୁ ଆଲୋଚନା କରିବା ।
ଶ୍ରୀକ୍ଷେତ୍ର ମହାସମରରେ କିଏ ବାଜିମାତ୍ କରିବ? ଏହା ଏକ ବଡ ପ୍ରଶ୍ନ । ଏପରି ଦେଖିବାକୁ ଗଲେ ଦୀର୍ଘବର୍ଷ ଧରି ବିଜେଡି ନିଜର ଦବଦବା ପୁରୀରେ ବଜାୟ ରଖିଛି । କିନ୍ତୁ ଚଳିତ ବର୍ଷ ବଦଳିପାରେ ଇତିହାସ । ଶଙ୍ଖ ସହ ଲଢିବାକୁ ହାତ ଓ ପଦ୍ମ ମଧ୍ୟ ଫୁଲ ଦମ୍ରେ ପ୍ରସ୍ତୁତ ଅଛନ୍ତି । ତିନି ଦଳର କୁହା କପିଳା ମୁଖପାତ୍ର ଏଥର ମଇଦାନକୁ ଆସିବେ । ବିଜେଡିରୁ ପୁଣି ପିନାକୀ ମିଶ୍ର, ବିଜେପିରୁ ଷ୍ଟାର ପ୍ରଚାରକ ସମ୍ୱିତ ପାତ୍ର ଏବଂ କଂଗ୍ରେସରୁ ବରିଷ୍ଠ ତଥା ଲୋକପ୍ରିୟ ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକ ଏଥର ଶ୍ରୀକ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିବେ ।
ପୁରୀରେ ଜମିବ ରାଜନୀତି । ବିଜେପିର ସମ୍ୱିତ ପାତ୍ରଙ୍କ ବାକ୍ ଚାତୁରୀ ଏବଂ ପାରଦର୍ଶିତା ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା । ନିଜ ଦସ୍ତାବିଜ୍ ସାହାଯ୍ୟରେ ନିଜ ସାମ୍ୱାଦିକତା ଜୀବନରେ ଅନେକ ଥର ରାଜ୍ୟ ସରକାରଙ୍କ ପୋଲଖୋଲ କରିଥିବା ବରିଷ୍ଠ ତଥା ଅଭିଜ୍ଞ ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେବାପରେ ଏବେ ପୁରୀରୁ ଟିକଟ ପାଇଁ ଲୋକସଭା ଆସନ ପାଇଁ ଲଢିବେ । ଅନ୍ୟପଟେ ପୁଣି ରିପିଟ୍ ପ୍ରାର୍ଥୀ କୁହାଳିଆ ପିନାକୀ ମିଶ୍ର ଚଳିତ ଥର ମଧ୍ୟ ପୁରୀରୁ ଲଢିବେ ।
ଶ୍ରୀକ୍ଷେତ୍ରରେ ବିଜୟ ଧାରା ବଜାୟ ରଖିବା ଚଳିତ ଥର କିନ୍ତୁ ପିନାକୀଙ୍କ ପାଇଁ ଏତେ ସହଜ ହେବ ନାହିଁ । କାରଣ ଗତ କିଛିବର୍ଷ ହେଲା ପୁରୀରେ ବାତାବରଣ ଅଶାନ୍ତ ହୋଇପଡିଛି । ଆଧ୍ୟାତ୍ମିକ ପରିବେଶ ଭ୍ରଷ୍ଟାଚାର, ଦୁର୍ନୀତି, କେଳେଙ୍କାରୀ ଓ ଗୁଣ୍ଡାଗର୍ଦ୍ଦି ଯୋଗୁଁ ବଦନାମ୍ ହୋଇଛି । ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି ଜୋର ଧରିଛି । ଜନତା ଅସନ୍ତୁଷ୍ଟ ଓ ଅତିଷ୍ଟ ହୋଇପଡିଛନ୍ତି । ତେବେ ଏସବୁ ପରିସ୍ଥିତି ଭିତରେ ସମୟ ଆସିଛି ନିର୍ବାଚନର । ପ୍ରତିନିଧି ଚୟନ କରି ଅଶାନ୍ତ ପରିସ୍ଥିତିକୁ ପରିବର୍ତ୍ତନ କରିବାର ।
ଏହିକ୍ରମରେ ବିଜେପିର ଭିଆଇପି ଲିଷ୍ଟରେ ଥିବା ପୁରୀ ଆସନ ପାଇଁ ଏଥର ସମ୍ୱିତ ପାତ୍ର ମଇଦାନକୁ ଓହ୍ଲାଉଛନ୍ତି । କ୍ଷେତ୍ର ପାଇଁ ନୂଆ ମୁହଁ ହେଲେ ସୁଦ୍ଧା, ପପୁଲାରିଟି କମ୍ ନୁହେଁ । ସୋସିଆଲ ମିଡିଆରେ ସମ୍ୱିତ ପାତ୍ରଙ୍କ ବକ୍ତବ୍ୟ ଆଉ ମନ୍ତବ୍ୟ ଭାଇରାଲ ହେଉଛି । ଯୁବପୀଢି ପସନ୍ଦ ମଧ୍ୟ କରୁଛନ୍ତି । କେନ୍ଦ୍ରରେ ବିଜେପିର ପ୍ରତିନିଧିତ୍ୱ କରିଆସିଛନ୍ତି ମୁଖପାତ୍ର ସମ୍ୱିତ ପାତ୍ର । ପ୍ରଶାସକ ଓ ସେବାୟତ ମୁଦ୍ଦାକୁ ନେଇ ସମ୍ୱିତ ମଇଦାନକୁ ଓହ୍ଲାଇବେ । ଗଭୀର ଆତ୍ମବିଶ୍ୱାସ ସହ ମୋଦିଙ୍କ ଲୋଗୋ ନେଇ ସମ୍ୱିତ ଜିତିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ସମ୍ୱିତ ପାତ୍ର ବନାମ୍ ପିନାକୀ ମିଶ୍ର ରଣନୀତି ଦେଖି ସେପଟେ ରାଜ୍ୟ କଂଗ୍ରେସ କି ପଛରେ ରୁହେ? ମଉକା ଦେଖି ଚଉକା ମାରିବା ଭଳି କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଚୟନ କରିଛି ବରିଷ୍ଠ ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକଙ୍କୁ । ସାମ୍ୱାଦିକ ଜୀବନରେ ଦାରୁ ଫିକ୍ସିଂ, ନବକଳେବର ବ୍ରହ୍ମ ବିଭ୍ରାଟ୍, ରଥରେ ମହିଳା ଚଢିବା ପ୍ରସଙ୍ଗ, ରତ୍ନ ଭଣ୍ଡାର ଚାବି ବିଭ୍ରାଟ ଭଳି ଜନତାଙ୍କ ଆସ୍ଥା ସହ ଜଡିତ ବିଭିନ୍ନ ପ୍ରସଙ୍ଗର ମହାଖୁଲାସା କରି ନବୀନ ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ ସତ୍ୟ ନାୟକ । ରାଜନୀତିରେ ପାଦ ଦେବା ପରେ ଏବେ ନିଜ ଭାଗ୍ୟ ପରୀକ୍ଷା କରିବେ ସତ୍ୟ ।
