
ଭୁବନେଶ୍ୱର: କାରୋନା ଭାଇରସ୍ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭାଇରସ୍ ପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି । ଚୀନରୁ ବ୍ୟାପିଥିବା ଏହି ‘କରୋନା ଭାଇରସ୍’ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪ଟି ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ଜରୁରୀକାଳୀନ ନମ୍ବରଗୁଡ଼ିକ ହେଲା, ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧ ଓ ୯୪୩୭୦୪୦୫୬୪ । ଏହି ନମ୍ବର ଗୁଡ଼ିକରେ ଲୋକେ କରୋନା ଭାଇରସ୍ ସଂପର୍କିତ କିଛି ସୂଚନା ଥିଲେ କଲ୍ କରିପାରିବେ ।
ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କଟକର ଏସ୍ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
କରୋନା ଭାଇରସ୍ରେ ଏପର୍ଯ୍ୟନ୍ତ ୩୦୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାଗୁଡ଼ିକୁ ଚିଠି ମଧ୍ୟ କରାଯାଇଛି । କରୋନା ଭାଇରସ୍ ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି ।
