ଭୁବନେଶ୍ୱର: ଫୋନି ବାତ୍ୟାର ପ୍ରକୋପରେ ଟେଲିକମ୍ କ୍ଷେତ୍ରରେ ବ୍ୟାପକ ଭାବେ କ୍ଷତି ହୋଇଛି । ଟେଲିକମ୍ କମ୍ପାନୀ ଗୁଡିକ ସକ୍ରିୟ ଅଛନ୍ତି । ଆଶା କରାଯାଉଛି ଖୁବଶୀଘ୍ର ଏହି ବ୍ୟବସ୍ଥାରେ ସୁଧାର ଆସିବ । ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ପରି ଅଞ୍ଚଳକୁ ପ୍ରାଥମିକତା ଦିଆଯାଇଛି । ଯେଉଁ ସ୍ଥାନରେ ଟେଲିଫୋନ ଟାଓ୍ୱାର କାମ କରୁନି, ସେଠାରେ କାଓ (ମୁଭିଂ ଟାଓ୍ୱାର) ଲଗାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡିକୁ ସହଯୋଗ ମଗାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ବିଭିନ୍ନ ଟେଲିକମ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି । ଭାରତ ସରକାରଙ୍କ ଆଡୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସହ ଦୀର୍ଘସମୟ ଟେଲିଫୋନ ମାଧ୍ୟମରେ କଥା ହୋଇ ଓଡିଶାର ସ୍ଥିତି ଉପରେ ଅବଗତ ହୋଇଛନ୍ତି । ରେଳ, ପେଟ୍ରୋଲିୟମ୍ ପରି ବିଭାଗ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।
କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ, ଓଡିଶାରେ ବିଏସଏନଏଲ, ଜିଓ, ଏୟାରଟେଲ, ଭୋଡାଫୋନ୍ ସମେତ ଆଉ ୩ଟି ଟେଲି ଇନଫ୍ରା କମ୍ପାନୀ କାମ କରୁଛନ୍ତି । ସବୁ କମ୍ପାନୀ ମାନଙ୍କର ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଅଧାରୁ ଅଧିକ ଟାଓ୍ୱାର ଭାଙ୍ଗିଯାଇଛି । ବିଜୁଳି ନଥିବାରୁ ଅଧିକାଂଶ ଟାଓ୍ୱାର ବନ୍ଦ ଅଛି । ରାସ୍ତା ସଫା, ଗଛ କଟା ସମୟରେ ଅଧିକାଂଶ ସ୍ଥାନରେ ଅପଟିକାଲ୍ ଫାଇଭର କଟିଯାଇଛି । ତେଣୁ ଏପରି ସ୍ଥିତିରେ ତତକାଳୀନ ସେବାପାଇଁ ସବୁ କମ୍ପାନୀ ମାନଙ୍କ ଠାରୁ ସହଯୋଗ ମଗାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଗୁଡିଏ କମ୍ପାନୀ ଏହା ମଧ୍ୟରେ କାଓ ଭେଇକିଲ୍ ବୁକ୍ କରିସାରିଛନ୍ତି । ସବୁ ବ୍ଲକ ହେଡ୍କ୍ୱାଟରରେ ବିଏସଏନଏଲ ଲିଜ୍ ଗୁଡିକ ତୁରନ୍ତ ଠିକ୍ କରିବା କୁହାଯାଇଛି । ବିଜୁଳି ପାଇଁ ରାଜ୍ୟ ସରକାରଙ୍କୁ ହଇରାଣ ନକରି ନିଜ ପ୍ରସ୍ତୁତିରେ କାମ କରିବା ପାଇଁ ଟେଲିକମ୍ କମ୍ପାନୀ ମାନଙ୍କୁ କୁହାଯାଇଛି । ଟେଲିକମ୍ କମ୍ପାନୀ ମାନଙ୍କୁ ଡିଜେଲ ଯୋଗାଇବା ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୭-୮ ଟି ଡୋର ଡେଲିଭରି ଭେଇକିଲ୍ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
