
କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଗୋଠ ଛଡା ଦନ୍ତାର ଦବଙ୍ଗ ଗିରି ଜାରି ରହିଛି । ଗତକାଲି ବିଳମ୍ବିତ ରାତିରେ ଗୋଠ ଛଡା ଦନ୍ତା ହାତୀଟି ଘରର କବାଟ ଭାଙ୍ଗି ବାପା ମାଙ୍କ ପାଖରେ ଶୋଇଥିବା ୭ ବର୍ଷର ଝିଅକୁ ଘୋଷାଡି ନେଇ ଦଳି ଚକଟି ମାରିଥିବା ଜଣାପଡ଼ିଛି । ଚମ୍ପୁଆ ରେଞ୍ଜ ମାଲଦା ଗାଁର ବାଜିୟା ମୁଣ୍ଡା ତାଙ୍କ ସ୍ତ୍ରୀ ଓ ୩ ଛୁଆ ଘରେ ସୋଇଥିବା ବେଳେ ଗୋଠ ଛଡା ଏକ ଦନ୍ତା କବାଟ ଭାଙ୍ଗି ଜଣେ ଶିଶୁକୁ ମାରିଦେଇଥିବା ବେଳେ ଆଉ ଦୁଇ ଶିଶୁଙ୍କୁ ଗୁରୁତର କରିପକାଇଛି । ତେବେ ଗୁରୁତରମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଛି ।
ମଙ୍ଗଳବାର ରାତିରେ ଦନ୍ତାଟି କାସିୟା ଓ କେନ୍ଦୁଘାଟି ଗ୍ରାମରେ ୫ଟି ଘର ଭାଙ୍ଗିବା ସହ ଅନ୍ଧାରି ଖମଣ୍ଡ ଜଙ୍ଗଲରେ ଗତକାଲି ଦିନ ସାରା ଡେରା ପକାଇ ଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କେନ୍ଦୁଘାଟି, ଦଂଲା, କଲଣ୍ଡା ଆଦି ବିଭିନ୍ନ ଅଂଚଳରେ ତିନି ମାସ ମଧ୍ୟରେ ଏହି ଗୋଠ ଛଡା ଦନ୍ତା ୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାରିଥିବା ସୂଚନା ମିଳିଛି । ପ୍ରକାଶ ଯେ ଉକ୍ତ ରେଞ୍ଜରେ ୨୫ ରୁ ଉର୍ଦ୍ଧ୍ୱ ହାତୀପଲ ବିଚରଣ କରୁଛନ୍ତି । ଏଥି ମଧ୍ୟରୁ ଏକ ଗୋଠ ଛଡା ଦନ୍ତା ହାତୀଟି ତାର ଉତ୍ପାତ ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦନ୍ତାର କୌଣସି ଖବର ମିଳିନଥିବା ସୂଚନା ମିଳିଛି ।
