ଅର୍ଗସ ବ୍ୟୁରୋ: ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ଉପରେ ନଜର । ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମଝିରେ ଦୁଇ ଦିନ ରହିଲା । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିବ । ଭୁବନେଶ୍ୱର, ପୁରୀ, କଟକ, କେନ୍ଦୁଝର, ସମ୍ବଲପୁର ଓ ଢେଙ୍କାନାଳରେ ନିର୍ବାଚନ ହେବ ।
ଏହି ୬ଟି ଲୋକସଭା ଆସନରେ ରହିଛନ୍ତି ମୋଟ୍ ୬୧ ଜଣ ପ୍ରାର୍ଥୀ । ତେବେ ଏହାରି ଭିତରେ ଧନୀ ପ୍ରାର୍ଥୀଙ୍କୁ ନେଇ ସାମ୍ନାକୁ ଆସିଛି ADR ତାଲିକା । ଏହି ଲିଷ୍ଟର ଶୀର୍ଷରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଅଛନ୍ତି । ୧୧୭ କୋଟି ଟଙ୍କାର ସମ୍ପତି ସହ ସର୍ବାଗ୍ରେ ରହିଛନ୍ତି ପିନାକୀ ।
ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ୨୬ କୋଟି ଟଙ୍କାର ସମ୍ପତି ସହ ଦ୍ୱିତୀୟରେ ଅଛନ୍ତି । ସେହିପରି ଢେଙ୍କାନାଳ କଂଗ୍ରେସ ଲୋକସଭା ପ୍ରାର୍ଥୀ କେ.ପି ସିଂଦେଓଙ୍କ ପାଖରେ ରହିଛି ୧୫ କୋଟି ଟଙ୍କାର ସମ୍ପତି । ତୃତୀୟ ପର୍ଯ୍ୟାୟରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଖରେ ଲୋକସଭା ପ୍ରାର୍ଥୀଙ୍କ ଭଳି ମଧ୍ୟ ମୋଟାଅଙ୍କର ସମ୍ପତି ଥିବା ଜଣାପଡ଼ିଛି ।
ତେବେ ବିଧାନସଭା ପ୍ରାର୍ଥୀଙ୍କ ଲିଷ୍ଟରେ ଶୀର୍ଷରେ ବଡ଼ମ୍ବା କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତିଙ୍କ ପାଖରେ ରହିଛି ୧୦୬କୋଟି ୩୨ ଲକ୍ଷ । ଦ୍ୱିତୀୟରେ ପିସିସି ସଭାପତି ତଥା ଘସିପୁରା ବିଧାୟକ ପ୍ରାର୍ଥୀ ନୀରଞ୍ଜନ ପଟ୍ଟନାୟକଙ୍କ ପାଖରେ ରହିଛି ୬୦ କୋଟି ୩୪ ଲକ୍ଷ । ଅନ୍ୟପଟେ ଚମ୍ପୁଆର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀଙ୍କ ସମ୍ପତି ୪୬ କୋଟି ୩୮ ଲକ୍ଷ ଟଙ୍କାର ସମ୍ପତି ରହିଛି । ତେବେ ଆହୁରି ଅନେକ ଏହି ଲିଷ୍ଟରେ ଥିବା ବେଳେ ଉପରୋକ୍ତ ପ୍ରାର୍ଥୀଙ୍କ ସମ୍ପତି ଟିକେ ଆଖିଦୃଶିଆ ରହିଛି ।

