ଭୁବନେଶ୍ୱର: ସୁନ୍ଦରଗଡ଼ରୁ ଅପହୃତ ନାବାଳିକା ରାଜସ୍ଥାନରେ ଗର୍ଭବତୀ ଅବସ୍ଥାରେ ଉଦ୍ଧାର ହେବା ପ୍ରସଙ୍ଗ ରାଜ୍ୟରେ ଚହଳ ସୃଷ୍ଟି କରିଛି । ନାବାଳିକାଙ୍କୁ ଉଦ୍ଧାର କରିବା ପରେ ରାଜ୍ୟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା ଦିଲ୍ଲୀ ମହିଳା କମିଶନ । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ।
ଅପହୃତ ନାବାଳିକାକୁ ୨ ଦିନରେ ଖୋଜି ଦିଲ୍ଲୀ କମିଶନ ବାହାର କରିଦେଲା, ରାଜ୍ୟ ସରକାର ଏବଂ ତାଙ୍କ ପୋଲିସ ଦୀର୍ଘ ଏକ ବର୍ଷ ଧରି କ’ଣ କରୁଥିଲେ ବୋଲି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି । ଝିଅର ବାପା ରାଜ୍ୟ ପୋଲିସର ପାଖରେ ଗୁହାରୀ କରିବା ପରେ ମଧ୍ୟ କିଛି ଫଳ ମିଳିନଥିଲା ।
ସରକାରଙ୍କ ଉଦାସୀନତାରୁ ଯୁବତୀ ଚାଲାଣକୁ ପ୍ରୋତ୍ସାହନ ମିଳୁଛି ବୋଲି ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କୁ ଦିଲ୍ଲୀ କମିଶନଙ୍କ ଚିଠିକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଖୁବ ବର୍ଷିଛି । ଏହି ଚିଠିରେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଯେଉଁ ପୋଲିସ ଅଧିକାରୀମାନେ ଏଥିରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରାଯାଇଛି ।
ଏହାସହ ଗତବର୍ଷ ୧୪୬୫ଟି ଅପହରଣ କେସ ରେକର୍ଡ ହୋଇଛି । ରାଜ୍ୟ ସରକାର ଏକ ମହିଳା ବିରୋଧୀ ସରକାର, ମହିଳାଙ୍କ କଥା ଆସିଲେ ଥାନାରେ ଏଫଆଇଆର ରଖାଯାଉ ନାହିଁ । ତେବେ ଚିଠି ଲେଖିବାର ଦୁଇ ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ପରିଡ଼ା ।
