ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ରାଜ୍ୟର 3ଟି ପ୍ରମୁଖ ଦଳ କରିଛନ୍ତି ପ୍ରାର୍ଥୀ ଘୋଷଣା । ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କିଏ କେଉଁଠି କାହା ସହିତ ଲଢ଼ିବ ତାହାକୁ ନେଇ ଆସନ୍ତୁ ନଜର ପକାଇବା ।
ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି 3ଟି ଦଳ । ସିନେଷ୍ଟାରରୁ ୨ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ବ୍ରହ୍ମପୁର ଆସନରୁ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେଡି । ପୂର୍ବରୁ ଚନ୍ଦ୍ରଶେଖର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଏହାପୂର୍ବରୁ ୨୦୦୯ରେ ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ମାତ୍ ଦେଇଥିଲେ । ଆଉ ଏହାପରେ ଲଗାତାର ଦୁଇଥର ବ୍ରହ୍ମପୁରରୁ ବିଜେଡି ଟିକେଟରେ ବିଜୟୀ ହୋଇ ଆସୁଥିଲେ ସିଦ୍ଧାନ୍ତ ମହାପାତ୍ର । ତେବେ ଏଥର ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ରଶେଖର ସାହୁ। ତାଙ୍କୁ ଟକ୍କର ଦେବାକୁ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ଟିକେଟ ଦେଇଛି । ଏମାନଙ୍କ ସହିତ ଲଢ଼େଇରେ ଅଛନ୍ତି କଂଗ୍ରେସର ଭି. ଚନ୍ଦ୍ରଶେଖର ନାଇଡ଼ୁ।
ସେହିପରି କଳାହାଣ୍ଡି ଲୋକସଭା ଆସନରେ ବସନ୍ତ ପଣ୍ଡା, ପୁଷ୍ପେନ୍ଦ୍ର ସିଂଦେଓ ନା ଭକ୍ତଚରଣ ଦାସ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ । କଳାହାଣ୍ଡିରୁ ବିଜେପି ରାଜ୍ୟସଭାପତି ବସନ୍ତ କୁମାର ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ଓ କଂଗ୍ରେସରୁ ଭକ୍ତଚରଣ ଦାସ ନିର୍ବାଚନ ଲଢ଼ିବେ । ଗତ ପଂଚାୟତ ନିର୍ବାଚନ ସମୟରେ କଳାହାଣ୍ଡିରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେଣୁ ଏଥର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରୁଛି ବିଜେପି ।
କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ କଂଗ୍ରେସ ଠିଆ କରିଥିବା ବିଜେଡି ସାଂସଦ ଝିହ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକ୍କାଙ୍କୁ ଟିକେଟ ଦେଇଛି ବିଜେଡି । କୌଶଲ୍ୟା ହିକ୍କାଙ୍କୁ ଟକ୍କର ଦେବାକୁ ବିଜେପି ଜୟରାମ ପାଙ୍ଗିଙ୍କୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅକୁ ସପ୍ତଗିରି ଉଲ୍ଲାକାଙ୍କୁ ଟିକେଟ୍ ଦେଇଛି । ରାମଚନ୍ଦ୍ର ଉଲ୍ଲାକା ଏହି ଆସନରୁ ଦୁଇ ଦୁଇ ଥର ସାଂସଦ ହୋଇଥିଲେ । ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ଟିକେଟ ଦେଇଛି ବିଜେପି । ଜୟରାମ ବିଜେପିରେ ଯୋଗଦେବା ପୂର୍ବରୁ ବିଜେଡି ଟିକେଟରେ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ନବରଙ୍ଗପୁର ଆସନ ପାଇଁ ମଧ୍ୟ ଲଢ଼େଇ ଜୋରଦାର ହେବ । ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି. ବିଜେଡିରୁ ରମେଶ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ନିର୍ବାଚନ ଲଢ଼ିବେ । ଗତ ନିର୍ବାଚନରେ ବଳଭଦ୍ର ମାଝୀଙ୍କଠାରୁ ମାତ୍ର ୨ହଜାର ଭୋଟରେ ହାରିଯାଇଥିବା ପ୍ରଦୀପ ମାଝୀ । ଅନ୍ୟପଟେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇ ଟିକେଟ୍ ହାତେଇଛନ୍ତି ସାଂସଦ ବଳଭଦ୍ର ମାଝୀ । ସେହିପର ମନ୍ତ୍ରୀ ରମେଶ ମାଝୀଙ୍କୁ ବିଜେଡି ଟିକେଟ ଦେଇଛି ।
ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଏବେ ପ୍ରଚାର ପାଇଁ ସବୁ ପ୍ରାର୍ଥୀ ମଇଦାନରେ । ତେବେ ଏସବୁ ଭିତରେ କିଏ କାହା ଉପରେ ଭାରି ପଡ଼ୁଛି ତାହା ଦେଖିବାକୁ ବାକି ରହିଲା ।
