ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ବିଗୁଲ ବାଜି ସାରିବା ପରେ ପ୍ରାର୍ଥୀ ଘୋଷଣା କରୁଛନ୍ତି ଦଳ । କିନ୍ତୁ ଏଥର ସବୁ ଦଳରେ ନୂଆ ମୁହଁକୁ ସୁଯୋଗ ଦିଆଯାଉଛି । ବିଶେଷ କରି ବିଜେପି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ କରୁଥିବା ଦେଖିବାକୁ ମିଳୁଛି । ଠିକ୍ ସେତିକିବେଳେ ବିଜେଡି ଦ୍ୱିତୀୟ ଶ୍ରେଣୀ ପାସ୍ କରିଥିବା ଜଣେ ବୃଦ୍ଧାଙ୍କୁ ଦେଇଛି ଲୋକସଭା ଟିକଟ । ଯେଉଁଥିପାଇଁ ଶାସକ ଦଳକୁ ଟ୍ରୋଲ୍ର ଶିକାର ହେବାକୁ ପଡ଼ୁଛି ।
ସେ ଯାହା ହେଉ ଏଥର ପୁରୀ କାକଟପୁରରୁ ଜଣେ ଆଇଆଇଟିଆନ୍ଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେପି । ତାଙ୍କ ନାଁ ହେଉଛି ତୁଷାରକାନ୍ତି ବେହେରା । ଖଡ଼ଗପୁର ଆଇଆଇଟିରୁ ଏମ୍ଟେକ୍ ପାସ କରିବା ସହ ଗୋଟିଏ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ତୁଷାରକାନ୍ତି । ଏହାସହ 2014ରୁ ଡାଇରେକ୍ଟ ପଲିଟିକ୍ସକୁ ଆସିଥିବା ତୁଷାରକାନ୍ତି 2019ରେ କାକଟପୁରରୁ ପ୍ରତିନିଧିତ୍ୱ କରିବେ । ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆଶାତୀତ ସମର୍ଥନ ବୃଦ୍ଧି ଏବଂ ବିଜେଡି ପ୍ରତି ଜନ ଅସନ୍ତୋଷକୁ ମୁଦ୍ଦା କରି ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ନିକଟରେ ଅର୍ଗସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ତୁଷାରକାନ୍ତି ।
