ପୁରୀ: ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରକିଶୋରପୁରରେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍ ଓ ଭିଭିପ୍ୟାଟ୍ରେ ତ୍ରୁଟି ଯୋଗୁଁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଯାଇଛି । ସତ୍ୟବାଦୀରେ ମଧ୍ୟ ଭିଭିପ୍ୟାଟ୍ ଓ ଇଭିଏମ୍ରେ ତ୍ରୁଟି ଦେଖାଯିବା କାରଣରୁ ଭୁତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୋଟର ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା । ତେବେ ଏହି ଘଟଣାରେ ବିଜେପି ନେତା ଓମ୍ ପ୍ରକାଶ ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଓମ୍ ପ୍ରକାଶଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି ।
ଅନ୍ୟପକ୍ଷେ, ଏହି ଘଟଣାରେ ଗୋଟିଏ ରିଭଲ୍ଭର୍ ଓ ୬ ରାଉଣ୍ଡ ଗୁଳି ଜବତ ହୋଇଛି । ତେବେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ଆଦୌ ସମ୍ପୃକ୍ତି ନାହିଁ ବୋଲି ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ୍ କହିଛନ୍ତି।
