ନୂଆପଡ଼ା: ଥମୁନି ଦାଦନ ଦୁଃଖ । ବିଭିନ୍ନ ସମୟରେ ଅକଥନୀୟ ପରିସ୍ଥିତିରେ ଉଦ୍ଧାର ହେଉଛନ୍ତି ଦାଦନ ଶ୍ରମିକ । ସଚେତନତା ଅଭାବ ଏବଂ ଟଙ୍କା ଲୋଭରେ ଅକଳରେ ପଡ଼ୁଛନ୍ତି ଗରିବ ଶ୍ରମିକ ।
ତେବେ ପୁଣି ଏଭଳି ଏକ ଖବର ଆସିଛି ନୂଆପଡ଼ାରୁ । ଖରିଆର ରୋଡ୍ ରେଳ ଷ୍ଟେସନରୁ ପ୍ରାୟ 47 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଶ୍ରମିକଙ୍କ ମଧ୍ୟରେ 18 ଜଣ ଶିଶୁଙ୍କ ସମେତ 18 ଜଣ ପୁରୁଷ ଓ 11 ଜଣ ମହିଳା ରହିଛନ୍ତି । ସମସ୍ତେ ସୋନପୁର, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଅଧିବାସୀ ବୋଲି ତଦନ୍ତରୁ ଜଣାପଡ଼ିଛି । ନୂଆପଡ଼ା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଆଇଆଇସି ପୁରୀ-ସୁରଟ ଟ୍ରେନରେ ଚଢ଼ାଉ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି । କଣ୍ଟାବାଞ୍ଜିର ରାଜା ଖାନ୍ ନାମକ ଜଣେ ଦାଦନ ସର୍ଦ୍ଦାର ସେମାନଙ୍କୁ ହାଇଦ୍ରାବାଦ ନେଇ ଯାଉଥିଲା ବୋଲି ଜଣାପଡ଼ିଛି । ତେବେ ଦଲାଲ ରାଜା ଖାନ୍ଙ୍କୁ ପୋଲିସ ଅଟକ ରଖିଛି ।
