
ମୟୁରଭଞ୍ଜ: ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କମାର ସାହୁଙ୍କ ନାଁରେ ପୁଣି ଆସିଲା ଅଭିଯୋଗ । ତାଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ବହୁ ବିଜେଡି ନେତା । ରାଜ୍ୟ ରାଜନୀତିରେ ପାଓ୍ୱାରଫୁଲ୍ ନେତା ଭାବେ ଗଣାଯାଉଥିବା ଅରୁଣ କୁମାର ସାହୁ ଏବେ ମୟୁରଭଞ୍ଜ ଜିଲ୍ଲାର ବିଜେଡି ପର୍ଯ୍ୟବକ୍ଷେକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଗତକାଲି ବାରିପଦାଠାରେ ନବୀନଙ୍କ ରୋଡ୍ ସୋ’ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଅରୁଣ ସମସ୍ତ ଦାୟିତ୍ୱ ନେଇଥିଲେ । କିନ୍ତୁ ସେଠାରେ ସେ କିଛି ବିଜେଡି କର୍ମୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ତାଙ୍କର ବ୍ୟବହାର ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କୁ ଏତେ ମର୍ମାହତ କରିଥିଲା ଯେ, ସେମାନେ ସମୂହ ଭାବେ ବିଜେଡିରୁ ଇସ୍ତାଫା ଦେଇଛନ୍ତି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେମାନେ ଇସ୍ତଫା ପ୍ରଦାନ କରିଛନ୍ତି ।
ଏହି ଅସନ୍ତୁଷ୍ଟଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ବଜେଡି ଉପ-ସଭାପତି ଇଶାନ୍ ମିଶ୍ର ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ରହିଛନ୍ତି । ତାଙ୍କ ସହ ଶତାଧିକ କର୍ମୀ ଦଳ ଛାଡ଼ିଛନ୍ତି ।
ତେବେ ପୂର୍ବରୁ ମଧ୍ୟ ଅରୁଣଙ୍କ ନାଁରେ ଏଭଳି ଅଭିଯୋଗ ରହିଛି । ଅରୁଣଙ୍କୁ ନିଜ ନିର୍ବାଚନ ମଣ୍ଡଳିରେ ମଧ୍ୟ ବିରୋଧ କରାଯାଉଥିଲା । ନୟାଗଡ଼ରେ ବିଜେଡି କର୍ମୀଙ୍କ ମଧ୍ୟରେ ଅରୁଣଙ୍କୁ ନେଇ ଢେର୍ ଅସନ୍ତୋଷ ଥିଲା ବୋଲି ସୂଚନା ମଳିଥିଲା । ଏହି କାରଣରୁ ଅରୁଣଙ୍କୁ ନୟାଗଡ଼ରୁ ଟିକଟ ଦିଆନଯାଉ ବୋଲି ମଧ୍ୟ ବିଜେଡି କର୍ମୀ ଚାହୁଁଥିଲେ ।
