ଭୁବନେଶ୍ୱର: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଛି । ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ କମ୍ ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହେବ ଅନେକ ନାମୀ ଦାମୀ ହେଭିଓ୍ୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ।
କେବଳ ହେଭିଓ୍ୱେଟ୍ କହିଲେ ଚଳିବ ନାହିଁ, ଦୀର୍ଘ ଦିନ ଧରି ରାଜ୍ୟର ଭାର ସମ୍ଭାଳିଥିବା କିଛି ନେତାଙ୍କ ଭାଗ୍ୟ ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସ୍ଥିର କରିବ । ପୁରୀ ଲୋକସଭା ଅନ୍ତର୍ଗତ କିଛି ପାଓ୍ୱାରଫୁଲ୍ ନେତା ହେଲେ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଦୀପ ମହାରଥୀ । ଏହି ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ।
ବିଜେଡିର ପାଓ୍ୱାରଫୁଲ୍ ନେତା ଭାବେ ଅରୁଣ-ସଞ୍ଜୟଙ୍କ ନାଁ ଆସୁଛି । ତେବେ ଆଗାମୀ ନିର୍ବାଚନରେ ସେମାନଙ୍କର ଜିତିବା ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଦୀର୍ଘ ଦିନ ଶାସନ କରିବା ମଧ୍ୟରେ ତାଙ୍କ ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି । ଏହା ସହ ଚିଟ୍ଫଣ୍ଡ ଦୁର୍ନୀତିରେ ସେମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି । ଏମିତିକି ପ୍ରଚାର ସମୟରେ ସଞ୍ଚୟଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ବେଣ୍ଟପୁରରେ ନିର୍ବାଚନୀ ପ୍ରଚାରରେ ବାହାରିଥିବା ବେଳେ ସଞ୍ଜୟଙ୍କୁ ମହିଳାମାନେ ବିରୋଧ କରିବା ସହ ତାଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରାଇବାକୁ କହିଥିଲେ । ସେହିଭଳି ଅରୁଣଙ୍କ ବିରୋଧରେ ମଧ୍ୟ ନୟାଗଡ଼ରେ ସ୍ୱର ଉଠି ସାରିଛି । ଅନ୍ୟପଟେ ତାଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଥିବା ମଧ୍ୟ କୁହାଯାଉଛି ।

ଅରୁଣ ସାହୁ ତିନି ଥର ନୟାଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇ ସାରିବାବେଳେ ତାଙ୍କ ପ୍ରତି ଜନଅସନ୍ତୋଷ ପ୍ରକାଶ ପାଇଛି । ଏହାର ଫାଇଦା ନେଇଛି ବିଜେପି । ଅରୁଣଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଇରାନୀ ରାଏ । ତେବେ ଅରୁଣଙ୍କୁ ଏକ ବଡ଼ ଝଟ୍କା ଲାଗିଥିଲା ରାଣୀ ପ୍ରତ୍ୟୁଷା ରାଜେଶ୍ୱାରୀ ସିଂହଙ୍କ ରୂପରେ । ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ରାଜ ପରିବାରର ବୋହୁ ହୋଇଥିବାରୁ ତାଙ୍କ ପ୍ରତି ନୟାଗଡ଼ବାସୀଙ୍କ ଅହେତୁକ ସମ୍ମାନ ଓ ଭଲ ପାଇବା ରହିଛି । ଆଉ ତାଙ୍କ ସମର୍ଥନ ଇରାନୀଙ୍କ ସହ ରହିଛି ତେଣୁ କୁହାଯାଉଛି ଏହି ଜାଲ ଭିତରୁ ଅରୁଣଙ୍କୁ ବାହାରିବା ପାଇଁ ଅନେକ କଷ୍ଟ ହେଉଛି ।

ସେହିଭଳି ଆଉ ଦୁଇ ହେଭିଓ୍ୱେଟ୍ ନେତା ପ୍ରତୀପ ମହାରଥୀ ଓ ମହେଶ୍ୱର ମହାନ୍ତି । ପିପିଲି ବିଧାୟକ ଭାବେ ପ୍ରଦୀପ ମହାରଥୀ ଯେତିକି ପରିଚିତ ତାଙ୍କ ଡାଇଲଗ୍ ପାଇଁ ତାଠାରୁ ଅଧିକ ଲୋକ ଜାଣନ୍ତି । ତେବେ ସେ ମଧ୍ୟ 2014 ରୁ 2019 ମଧ୍ୟରେ ଅନେକ ବିବାଦରେ ଫସିଛନ୍ତି । ଗୁଣ୍ଡାଗର୍ଦ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଆକ୍ରୋଶର ଶିକାର ହୋଇଛନ୍ତି ମହାରାଥୀ । ଏମିତିକି ଅନେକ ଥର ମନ୍ତ୍ରୀପଦରୁ ମଧ୍ୟ ବହିସ୍କାର ହୋଇଛନ୍ତି ସେ । ଏହା ସହ ବେବିନା ହତ୍ୟାକାରୀଙ୍କୁ ନିଜ ଘରେ ସାହାରା ଦେଇଥିବା ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି । ଏଥିପାଇଁ ତାଙ୍କ ବିରୋଧରେ ଜନଅସନ୍ତୋଷ ମଧ୍ୟ ଦେଖାଯାଇଛି । ତେବେ ପିପିଲିରେ ମହାରଥୀଙ୍କୁ ଜିତିବା ପାଇଁ ଏଥର ଅଧିକ କଷ୍ଟ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି । କାରଣ ମୋଦି ହାଓ୍ୱା ମଧ୍ୟ ତାଙ୍କୁ ଘାଟା କରିପାରେ ।

ସେହିଭଳି ପୁରୀ ବିଧାୟକ ମହେଶ୍ୱର ମହାନ୍ତି ମଧ୍ୟ ବିବାଦ ଘେରରେ ଫସିଛନ୍ତି । ରାଜ୍ୟରେ ଏକ ଗୁରୁତତ୍ୱପୁର୍ଣ୍ଣ ବିଧାନସଭାର ନେତୃତ୍ୱ ନେଉଥିବା ମହେଶ୍ୱରଙ୍କୁ ମଧ୍ୟ ଏଥର ଅଧିକ କଷ୍ଟ କରିବାକୁ ପଡ଼ିପାରେ । କାରଣ ନବକଳେବର ବିଭ୍ରାଟଠାରୁ ଆରମ୍ଭ କରି ପୁରୀରେ ଅପରାଧ ସାମ୍ରାଜ୍ୟର ବିସ୍ତାର ଏମିତିକି ପୁଅ ପାଇଁ ଅନ୍ଧ ହୋଇ ବେଆଇନ କାମକୁ ପ୍ରଶ୍ରୟ ଦେଇଛନ୍ତି ମହେଶ୍ୱର । ଏହା ସହ ମନ୍ଦିର ପରିଚାଳନାରେ ହସ୍ତକ୍ଷେପ ଓ ବ୍ୟାପକ ଅନୀୟମିତତା ଘଟଣାରେ ମଧ୍ୟ ମହେଶ୍ୱରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ପୁରୀରେ ଢେର୍ ଚର୍ଚ୍ଚା ଚାଲିଛି । ସରକାରୀ ଜମି ହଡ଼ପ କରି କୋଟି କୋଟି ଟଙ୍କା ରୋଜଗାର କରିବା ଘଟଣା ମଧ୍ୟ ପୁରୀ ଲୋକ ସହଜରେ ହଜମ କରିପାରୁ ନାହାନ୍ତି । ସେପଟେ ମୋଦିଙ୍କ ହାଓ୍ୱା ମଧ୍ୟ ତାଙ୍କୁ ଘାଟା କରିପାରେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।
ଏହା ସହ ପୁରୀ ଲୋକସଭା ପାଇଁ କ’ଣ କହୁଛନ୍ତି ଲୋକେ... ପଢନ୍ତୁ ପୁରୀର ତିନି କୁହାଳିଆ ଏନେଇ ଆପଣଙ୍କ ମତାମତ କ’ଣ ରହିଛି ଆମ କମେଣ୍ଟ ବକ୍ସରେ ଜଣାନ୍ତୁ...
