ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା । ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା ହେବା ପରେ ବିଜେଡି ପକ୍ଷରୁ ଦଳର ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହାସହ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ମଧ୍ୟ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରା ଯାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି ।
ତେବେ ଏଥିରେ ପ୍ରଶ୍ନ ଉଠୁଛି ଯେ, ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ । ଉଭୟ ବିଜେଡି ଓ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ତାଙ୍କ ନାଁ ଘାେଷଣା କରାଯାଇଛି । ବିଜେପି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ସୋସିଆଲ ମିଡିଆରେ ଟ୍ୱିଟର ଜରିଆରେ ତାଙ୍କ ନାଁ ଘୋଷଣା କରାଯାଇଥିବା ବେଳେ, ପରେ ବିଜେଡି ମଧ୍ୟ ତାଙ୍କ ନାଁ ଘୋଷଣା କରିଛି ।
ଉଭୟ ଦଳ ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ହଟଚମଟ । ବୁଦ୍ଧିଜୀବୀ ମହଲରେ ଆରମ୍ଭ ହୋଇଛି ଏନେଇ ତର୍ଜମା । କାହିଁକି ଏଭଳି ପରିସ୍ଥିତି ଉପୁଜିଛି କାରଣ ଖୋଜୁଛନ୍ତି ରାଜନୈତିକ ବିଶେଷଜ୍ଞ । ବିଜେଡି ପାଖରେ ରାଜ୍ୟସଭା ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ଥିବା ବେଳେ କାହିଁକି ବିଜେପି ପ୍ରାର୍ଥୀଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ବାଧ୍ୟ ହେଲା ସେନେଇ ଚାଲିଛି ତର୍କ ।
