ଭୁବନେଶ୍ୱର: ପାଟକୁରା ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଗୋଟିଏ ପଟେ ବିଜେଡି ଏହି ନିର୍ବାଚନ ଜିତିବ ବୋଲି ଆଶାବାଦୀ ଥିବା ବେଳେ ବିଜେପି ମଧ୍ୟ ଢେର୍ ଆଶାବାଦୀ ରହିଛି । ଏହି ନିର୍ବାଚନକୁ ନେଇ ଏବେ ରାଜ୍ୟରେ ନେତାଙ୍କ ମଧ୍ୟରେ କଥା କଟାକଟିଠୁ ଆରମ୍ଭ କରି ତାତ୍ସଲ୍ୟ କରିବା ପର୍ବ ମଧ୍ୟ ଆରମ୍ଭ ହେଲାଣି ।
ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି ଯେ, ଏଥର ପାଟକୁରା ବାସୀ ବିଜେଡିକୁ ଉଚିତ୍ ଶିକ୍ଷା ଦେବେ ଏବଂ ପରିବର୍ତ୍ତନ ଆଣିବେ । ରାଜ୍ୟରେ ପରିବର୍ତ୍ତନର ହାୱା ରହିଛି । କେନ୍ଦ୍ରରେ ବିଜେପି ସରକାର ରହିଛି । ବିଜେପି ପ୍ରତି ଲୋକଙ୍କ ଆସ୍ଥା ମଧ୍ୟ ରହିଛି । ମୋଦିଙ୍କୁ ଲୋକେ ଭଲ ପାଆନ୍ତି । ସେହିଭଳି ପାଟକୁରାବାସୀ ଅତ୍ୟନ୍ତ ସ୍ୱାଭିମାନୀ । ସେ ଭାବି ଚିନ୍ତି ଭୋଟ୍ ଦେଇଥାନ୍ତି । ସେ ଏଥର ପରିବର୍ତ୍ତନ ଆଡ଼କୁ ମୁହାଁଇଛନ୍ତି । କାରଣ ପାଟକୁରାରେ ବ୍ଲକ ସ୍ତରରେ ଏବଂ ପଞ୍ଚାୟତ ସ୍ତରରେ ଅନେକ କ୍ଷେତ୍ରରେ ଦୁର୍ନୀତି ବଢ଼ିଛି । ଲୋକମାନେ ନିର୍ବାଚନରେ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜୟ ।
ଅନ୍ୟପଟେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ପାଟକୁରା ହେଉଛି ବିଜୁବାବୁ ଦୁର୍ଗ । ଏଠାକାର ଅଧିକାଂଶ ଲୋକ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି । ପୂର୍ବରୁ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ପାଟକୁରାବାସୀ ଜିତାଇଛନ୍ତି ଏବଂ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ହରାଇଛନ୍ତି । ଏଥର ମଧ୍ୟ ସେୟା ହେବ ବୋଲି କହିଛନ୍ତି ଅତନୁ ।
ତେବେ ପାଟକୁରାରେ ବିଜେଡି ବିଜେପି କଳିକୁ ଲୋକ ଦେଖାଣିଆ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ବିଜେପି ବିଜେଡି ଏବେ ଏକ ହୋଇଯାଇଛନ୍ତି । ସେମାନେ ପାଟକୁରାରେ ଫ୍ରେଣ୍ଡଲି ନିର୍ବାଚନ ଲଢୁଛନ୍ତି ।
ସୂଚନା ଅନୁଯାୟୀ, ପାଟକୁରାରେ ବିଜୟଙ୍କୁ ହରାଇବା ପାଇଁ ନବୀନ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଏଠି ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉନାହିଁ ବରଂ ମୁଖ୍ୟମନ୍ତ୍ରୀ ଓ ବିଜୟଙ୍କ ମଧ୍ୟରେ ଲଢେଇ ହେଉଛି ବୋଲି କୁହାଯାଇପାରେ । ତେବେ କଂଗ୍ରେସ ଏଠି ବହୁ ପଛରେ ପଡ଼ିଥିବା କୁହାଯାଉଛି ।
ବିଜେପି ପକ୍ଷରୁ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ନବାଗତ ସାବିତ୍ରୀ ଅଗ୍ରଓ୍ୱାଲ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଦଳ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି ।ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟସ୍ଥ ହରିଡାମୂଳ ଛକରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ, ୭ ଛାତ୍ରଛାତ୍ରୀ ସମେତ ଅଟୋ ଡ୍ରାଇଭର ଆହତ ।
ଟ୍ରକଟି ଅଟୋକୁ ଧକ୍କା ଦେବା ପରେ ରାସ୍ତାରେ ହିଁ ଅଟୋଟି ଓଲଟି ପଡିଥିଲା। କେଶପୁରରୁ ଖଲ୍ଲିକୋଟର ଏକ କୋଚିଂ ସେଣ୍ଟରକୁ ଅଟୋରେ ୬ଜଣ ଛାତ୍ରୀ ଓ ଜଣେ ଛାତ୍ର ଯାଉଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଅଟୋ ଡ୍ରାଇଭର ଓ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ଖଲ୍ଲିକୋଟ ଥାନା ପୋଲିସର ପଚରାଉଚରା ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି।
ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍ ଦକ୍ଷିଣ ପୂର୍ବ ରେଳପଥ ଆରପିଏଫ୍ ହକି ଦଳକୁ 2-0 ଗୋଲରେ ପରାସ୍ତ କରି ଚାମ୍ପିଅନସିପ୍ ଟ୍ରଫି ହାସଲ କରିଛି। ଦକ୍ଷିଣ ରେଳପଥର ଶ୍ରୀ ବିନୋଦ କୁମାର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ଉତ୍ତର ରେଳପଥର ଶ୍ରୀ ସୁଖବିନ୍ଦର ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି।
ଉଦଯାପନ ଦିବସରେ ଆୟୋଜିତ ଫାଇନାଲ ମ୍ୟାଚରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଏବଂ ଆଇଜି / ଆରପିଏଫ୍ ଆଲୋକ ବୋହରାଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆରପିଏଫ୍ ହକି ଦଳକୁ ଚାମ୍ପିୟନ ଟ୍ରଫି ଏବଂ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଛନ୍ତି।
ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଦୀର୍ଘ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ଆଠ ଗୋଟିଏ ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଓ ରେଳବାଇ ସୁରକ୍ଷା ବଳ ସ୍ୱତନ୍ତ୍ର ବାହିନୀ (ନୂଆ ଦିଲ୍ଲୀ) ପ୍ରମୁଖ ଭାଗ ନେଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ବିରୋଧୀ ପ୍ରାର୍ଥୀ ମହମ୍ମଦ ମୁଇଜ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ପ୍ରୋଗ୍ରେସିଭ ପାର୍ଟି ଅଫ ମାଳଦ୍ବୀପ (ପିପିଏମ)ର ପ୍ରାର୍ଥୀ ମୁଇଜ ଭାରତ ସମର୍ଥକ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ହରାଇଛନ୍ତି।
ମୁଇଜୁ ବର୍ତ୍ତମାନ ଦେଶର ରାଜଧାନୀ ମାଲେ ସହରର ମେୟର ଅଟନ୍ତି। ତାଙ୍କୁ ଚାଇନା ସମର୍ଥକ ଭାବେ ବିବେଚନା କରାଯାଏ।
ଅଧିକ ପଢ଼ନ୍ତୁ ବିଦେଶ ଖବର