ମାହାଙ୍ଗା: ମାହାଙ୍ଗାରେ କ’ଣ ହେବ ପ୍ରତାପଙ୍କର । ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ । କାରଣ ନିର୍ବାଚନ ପୂର୍ବରୁ ମାହାଙ୍ଗାରେ ବିଜେଡି ଜିତିବ ବୋଲି ଯେତିକି ସହଜ ଦେଖାଯାଉଥିଲା ବାସ୍ତବରେ ଏହାର ବିପରିତ ଦେଖାଯାଇଛି । ପ୍ରତାପ ଜେନା ହେଉଛି ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ଓ ପାଓ୍ୱାରଫୁଲ୍ ନେତା । ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ତାଙ୍କ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଥିଲା । ଯାହା କି ଏକ ଫ୍ଲପ୍ ବୋଲି ଏବେ ଚର୍ଚ୍ଚା ହେଉଛି ।

ତେବେ ମାହାଙ୍ଗାରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଜୋର୍ଦାର ଲଢେଇ ଚାଲିଛି । ବିଜେଡିରୁ ମନ୍ତ୍ରୀ ପ୍ରତାପ ଜେନା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସାରଦା ପ୍ରସାଦ ପ୍ରଧାନ । 2000 ମସିହାରୁ ବିଜେଡିର ଗଡ଼ ରହିଥିବା ମାହାଙ୍ଗାରେ ଏବେ ବିଜେଡି ସ୍ଥିତି ଟଳମଳ ହେଉଥିବା କୁହାଯାଉଛି । କାରଣ ଲଗାତର ଦୁଇ ଥର ପ୍ରତାପ ବିଧାୟକ ରହିଥିବା ବେଳେ ତାଙ୍କ ବିରୋଧରେୋ ଅସନ୍ତୋଷ ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ ଗତଥର ସ୍ୱାଧୀନରୁ ଲଢି ତାଙ୍କୁ ନାକରେ ପାଣି ପିଆଇଥିବା ସାରଦା ପ୍ରସାଦ ଏବେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ପାଓ୍ୱାରଫୁଲ୍ ନେତା ପ୍ରତାପଙ୍କ ପାଇଁ ଏବେ ମହାଙ୍ଗା ଜିତିବା ସେତେଟା ସହଜ ଦେଖାଯାଉ ନାହିଁ । ସାରଦା ଗତ ଥର ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେଡିର 7.48 ପ୍ରତିଶତ ଭୋଟ ଛଡ଼ାଇ ନେଇ ମୋଟ 61 ହଜାର 657 ଭୋଟ ପାଇଥିଲେ । ତେବେ ଏଥର ମାହାଙ୍ଗାରେ ସାରଦାଙ୍କ ଲୋକପ୍ରିୟତା ସହ ମୋଦି ଲହର ଯୋଡ଼ି ହୋଇଯାଇଛି । ସାରଦାଙ୍କ ପାଖରେ ଏବେ ଡବଲ୍ ପାଓ୍ୱାର ରହିଛି । ଏମିତିକି ଅମିତ ଶାହ ମଧ୍ୟ ମାହାଙ୍ଗାରେ ରୋଡ୍ ସୋ’ କରି ବିଜେପି କର୍ମୀଙ୍କୁ ଆକ୍ଟିଭ୍ କରିଛନ୍ତି । ସେପଟେ କେନ୍ଦ୍ରାପଡ଼ା ଲୋକସଭା ପାଇଁ ହେଭିଓ୍ୱେଟ୍ ନେତା ବୈଜୟନ୍ତ ପଣ୍ଡା ଏବେ ବିଜେପି ପ୍ରାର୍ଥୀ ରହିଛନ୍ତି । ତେବେ ତାଙ୍କ କ୍ରେଜ୍ ମଧ୍ୟ ସାରଦାଙ୍କୁ କିଛି ମାତ୍ରାରେ ସହଯୋଗ କରୁଛି ।

ଖାଲି ସେତିକି ନୁହେଁ ପ୍ରତାପଙ୍କ ପାଇଁ ସବୁଠାରୁ ବଡ଼ ଘାଟା ସାଜିଛନ୍ତି ଖୋଦ୍ ତାଙ୍କ ଦଳର ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ଅନୁଭବ କେନ୍ଦ୍ରାପଡ଼ାରେ ଏବେ ଏକଲା ଚଲୋ ନୀତି ଆପଣାଇଛନ୍ତି । ମାହାଙ୍ଗାରେ ଅନୁଭବ ମହାନ୍ତିଙ୍କ ପାଇଁ ପ୍ରତାପଙ୍କୁ ହଟହଟା ହେବାକୁ ପଡ଼ିଛି । ଅନୁଭବ ଓ ତାଙ୍କ ପତ୍ନୀ ଏକ ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେବା ପାଇଁ ଆୟୋଜନ କରାଯାଇଥିଲା । ସେଠାକୁ ଲୋକମାନେ ତାଙ୍କୁ ଅନେକ ସମୟ ଅପେକ୍ଷା କରିଥିଲେ ମଧ୍ୟ ସେ ଆସିନଥିଲେ । ଏହି କାରଣରୁ ସେଠାରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ଲୋକମାନେ ରାଗିଯାଇ ପ୍ରତାପଙ୍କୁ ଯାହା ଇଚ୍ଛା ତାହା କହିଥିଲେ । ଏମିତିକି ନିର୍ବାଚନ ସମୟରେ ବିଜେଡିକୁ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ ।
ତେବେ କ’ଣ ହେବ ମାହାଙ୍ଗାରେ... ? ସାରଦାଙ୍କ ଏଥର ମାତ୍ ଦେବା ପ୍ରତାପଙ୍କ ପାଇଁ କ’ଣ ଏତେ ସହଜ ହେବ.. ?
