ଭୁବନେଶ୍ୱର: ସଂଘୀୟ ବ୍ୟବସ୍ଥାର ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାକୁ ନିଜ ନାଁରେ ହଡ଼ପ୍ କରିବା ପାଇଁ ଷଡଯନ୍ତ୍ରର ବାରମ୍ବାର ବିରୋଧ କରି ଆସିଛି ବିଜେପି । ଯାଜପୁର ଜିଲ୍ଲା ଡିଆରଡିଏ ତରଫରୁ ପିଡିଡିଆରଡିଏଙ୍କ ଦସ୍ତଖତରେ ଜିଲ୍ଲାର ୧୦ଟି ବ୍ଲକ ପାଇଁ ୧୪ ହଜାର ୧୩୧ଟି ବିଜୁ ପକ୍କା ଘରର ଚିତ୍ର ସହ ଟାଇଲ ଯୋଗାଇ ଦେବା ପାଇଁ ବରାଦ ଦିଆଯାଇଛି । ରାଜ୍ୟ ସରକାରଙ୍କ ଯୋଜନା ବିଜୁ ପକ୍କା ଘର ଚିତ୍ର ସହ ଟାଇଲ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଇ ଦିଆଯାଉଥିବା ଘର ଗୁଡିକ ଉପରେ ଲଗାଇ କେନ୍ଦ୍ର ଯୋଜନାକୁ ହଡପ କରି ରାଜ୍ୟର ସାଧାରଣ ଜନତାଙ୍କୁ ଠକିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସଂଘୀୟ ବିଧି ବ୍ୟବସ୍ଥା ବିରୋଧୀ କାର୍ଯ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ବିରୋଧ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ପିଡିଡିଆରଏଙ୍କ ୯.୧୨.୨୦୧୯ ତାରିଖ ପତ୍ର ସଂଖ୍ୟା ୭୮୭୬କୁ ଉପସ୍ଥାପିତ କରିବା ସହ ବିଜୁ ପକ୍କା ଘର ଚିତ୍ର ପ୍ରସ୍ତୁତି ନିର୍ଦ୍ଦେଶକୁ ବାତିଲ କରିବା ସହ ଏହି ଅର୍ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚିତ୍ର ପ୍ରସ୍ତୁତ କରି ହିତାଧିକାରୀଙ୍କ ଘର ଉପରେ ଲଗାଇବା ପାଇଁ ଶ୍ରୀ ମହାନ୍ତି ଦୃଢ ଦାବି କରିଛନ୍ତି । ଜଣେ ସରକାରୀ କର୍ମଚାରୀକୁ ଯୋଜନାର ନାଁ ବଦଳାଇବାର ଅଧିକାର କିଏ ଦେଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଗତ ୩ଟି ବଜେଟରେ ରାଜ୍ୟ ସରକାର ନିଜର ନିଜସ୍ୱ ଗରିବଙ୍କ ପାଇଁ ଉଦ୍ଧିଷ୍ଟ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିନାହାନ୍ତି । ବିଜୁ ପକ୍କା ଘର ଟାଇଲ ନିର୍ମାଣ କରିବା ପାଇଁ ମଧ୍ୟ ବିଜୁ ପକ୍କା ଘର ବାବଦ ବଜେଟ ବ୍ୟୟବରାଦର ଅର୍ଥ ନିୟଣ୍ଟ ପଡ଼ିବ । ରାଜ୍ୟ ସରକାର ଚଂଚକତା କରି ଯୋଜନା ହଡପ ବନ୍ଦ କରନ୍ତୁ ଓ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ଦେଇଥିବା ନିର୍ଦେଶନାମାକୁ ତୁରନ୍ତ ବାତିଲ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ୨୦୨୨ ମସିହା ସୁଦ୍ଧା ଓଡିଶା ସମେତ ଦେଶର ପକ୍କା ଘର ନଥିବା ସବୁ ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଏଥିପାଇଁ ମୋଦି ଓଡିଶାକୁ ପ୍ରଚୁର ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜ୍ୟ ସରକାରଙ୍କର କ୍ରିୟାନ୍ୱୟନ ପ୍ରକ୍ରିୟା ବିଳମ୍ବିତ ହେଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
