ଭୁବନେଶ୍ୱର: ବିଜୁଳି ବିଲ୍ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର । ରାଜ୍ୟରେ ବିଜୁଳି ବିଲ୍ ବୃଦ୍ଧିକୁ ତୀବ୍ର ନିନ୍ଦା କରିବା ସହ ସରକାର ଝିଂଟିକା ମାରି ବଣି ପୋଷିବା ନୀତି ଧରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହା ସହ ସାଧାରଣ ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ନଦେଇ ବିଜୁଳି କାଟ୍ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।
ରାଜ୍ୟରେ ଯେଉଁ ସବୁ କମ୍ପାନୀ ବିଜୁଳି ବିତରଣ ବା ଉତ୍ପାଦନ ଦାୟିତ୍ୱ ନେଇଛନ୍ତି ସେମାନେ ୟୁନିଟ୍ ପିଛା ପ୍ରାୟ 50 ପଇସା ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଆଉ ରାଜ୍ୟ ସରକାର ମଧ୍ୟ ଏହାକୁ ଗ୍ରହଣ କରି, ତାକୁ ସାଧାରଣ ଖାଉଟିଙ୍କ ମୁଣ୍ଡ ଉପରେ ଢ଼ାଳିବାକୁ ଚେଷ୍ଟା କରିଛନ୍ତି । ତେଣୁ ଏଥିପାଇଁ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ ଦାୟିତ୍ୱ ସମ୍ପନ୍ନ ମୁଖ୍ୟ ବିରୋଧୀ ଦଳ ଭାବରେ ରାଜ୍ୟରେ ଆସନ୍ନ ଉଚ୍ଚ ବିଜୁଳି ଟାରିଫ୍ ବୃଦ୍ଧିକୁ ବିରୋଧ କରୁଛି ବିଜେପି । ଏହା ସହ ଏହି ନିଷ୍ପତ୍ତିରୁ ଦୁରେଇ ରହିବାକୁ ରାଜ୍ୟ ସରକାରଙ୍କୁ ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ରାଜ୍ୟର ବଡ଼ ବଡ଼ ଶିଳ୍ପାନୁଷ୍ଠାନ ରହିଛି । ହେଲେ ସରକାର ସେମାନଙ୍କଠାରୁ ବିଲ୍ ଆଦାୟ ନକରି ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି । ବଡ଼ ବଡ଼ କମ୍ପାନୀମାନଙ୍କୁ ବିଜୁଳି ଦରରେ ରିହାତି ଦେବା ହ ବିଭିନ୍ନ ଆଳ ଦେଖାଇ ସେମାନଙ୍କଠାରୁ ବିଲ୍ ଆଦାୟ କରୁ ନାହାନ୍ତି କିନ୍ତୁ ସାଧାରଣ ଲୋକ ବିଲ୍ ନଦେଲେ ବିଦ୍ୟୁତ କାଟ୍ କରିଦେଉଛନ୍ତି । ସରକାର କିଭଳି ପୁଞ୍ଜିପତିମାନଙ୍କୁ ଛାଡ଼ କରୁଛନ୍ତି ଓ ଗରିବ ସାଧାରଣ ଲୋକଙ୍କୁ ଦାଉ ସାଧୁଛନ୍ତି ସେନେଇ ତଥ୍ୟ ପ୍ରମାଣ ମଧ୍ୟ ଦେଖାଇଛନ୍ତି ଶ୍ରୀ ମହାପାତ୍ର ।
ରାଜ୍ୟର ୨୬ଟି ବଡ଼ ଶିଳ୍ପ ସଂସ୍ଥାଙ୍କ ଉପରେ ୧୮୭୪ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ପଡିରହିଛି । ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ଋଗଣ୍ କରିଛନ୍ତି ବୋଲି କହିଛନ୍ତି ଗୋଲକ ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟନୁସାରେ ବାହାର ରାଜ୍ୟକୁ ଓଡିଶା ଯେଉଁ ବିଜୁଳି ବିକୁଛି ତାହାର ୟୁନିଟ୍ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ୍ ପିଛା ହାରାହାରି ମୂଲ୍ୟ ରହିଛି ୩ଟ ୮୧ ପଇସା । କିଣାବିକାରେ ଏହି ତାରତମ୍ୟ ଆଳରେ ରାଜ୍ୟ ରାଜକୋଷକୁ ଦୁର୍ବଳ କରି କେଉଁମାନେ ଏଥିରୁ ଲାଭ ଉଠାଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହା ସହ କମ୍ ଦରରେ ବିଜୁଳି ବିକି ଚଢା ଦରରେ ବିଜୁଳି କିଣି ଏହାର ବୋଝ ସାଧାରଣ ଖାଉଟିଙ୍କ ମୁଣ୍ଡରେ ଲଦିବାର କାରଣ କ’ଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହାସହ ରାଜ୍ୟ ସରକାରଙ୍କର ଖାଉଟି ମାରଣ କମ୍ପାନୀ ପ୍ରିତୀର ଉଦାହରଣ ଏକ ଆରଟିଆଇ ଉତର ଆଧାରରେ ଖୁଲାସା କରିଛନ୍ତି ଶ୍ରୀ ମହାପାତ୍ର । ଆରଟିଆଇ ଉତର ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫ କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡିରହିଛି । ରାଜ୍ୟ ସରକାର କୋହଳ ଭାବ ଅବଲମ୍ବନ କରି ଏହି କମ୍ପାନୀ ମାନଙ୍କ ଠାରୁ ପଡିରହିଥିବା ଟିକସ ଆଦାୟ କରୁନାହାନ୍ତି । ସେହିପରି ବିଭିନ୍ନ ବିଦ୍ୟୁତ ବଂଟନ କମ୍ପାନୀ ମାନଙ୍କ ଉପରେ ମୋଟ ୩୯୩୭.୪୮ କୋଟି ଚଙ୍କା ବକେୟା ରହିଛି । ଅପରପକ୍ଷରେ ସାଧାରଣ ଖାଉଟିଙ୍କ ମୁଣ୍ଡରେ ନଡିଆ ଫଟେଇ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିବାର ପଣ୍ୟ ଫଳ ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ଯେଉଁ ବିତରକ କମ୍ପାନୀ ମାନଙ୍କ ପାଇଁ ସାଧାରଣ ଖାଉଟିଙ୍କୁ ବଳିଦେବାକୁ ଚାହୁଁଛନ୍ତି ସେମାନେ ରାଜ୍ୟ ସରକାରଙ୍କ ଅଧିନସ୍ଥ ଗ୍ରୀଡକୋକୁ ହଜାର ହଜାର କୋଟି ଟଙ୍କା ପୈଠ କରୁନାହାନ୍ତି । ଆଜି ଦିନରେ ରାଜ୍ୟ ସରକାର ନିଜ ଅଧୀନରୁ ବିତରଣ କମ୍ପାନୀ ଗୁଡିକୁ ବେସରକାରୀ ସଂସ୍ଥା ମାନଙ୍କୁ ହସ୍ତାନ୍ତର କରୁଛନ୍ତି ସେତେବେଳେ ବିତରଣ କମ୍ପାନୀ ମାନଙ୍କ ଠାରୁ ପାଇବାକୁ ଥିବା ବକେୟା ଅର୍ଥ ସମ୍ବନ୍ଧରେ ଅହେତୁକ ନିରବତା ଅବଲମ୍ବନ କରୁଛନ୍ତି ।
ବିଧାନସଭାରେ ରାଜ୍ୟ ସରକାରଙ୍କ ପ୍ରଦତ ଉତର ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ୪ଟି ବିତରକ କମ୍ପାନୀ ଉପରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଟଙ୍କା ପଡିରହିଛି । ଏହାସହ ଏହି କମ୍ପାନୀ ମାନଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ସରକାର ୨୯୦୮.୫୫ କୋଟି ଟଙ୍କା ଋଣ ଯୋଗାଇଦେଇଛନ୍ତି । ଏତେ ସୁବିଧା ଦିଆଯିବା ପରେ ବି ବିତରକ କମ୍ପାନୀ ମାନଙ୍କ ପାଇଁ ବିଜୁୁଳି କାଟିବା ଓ ବିଜୁଳି ଟାରିଫ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କାହିଁକି ତତ୍ପର ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହାସହ ଶ୍ରୀ ମହାପାତ୍ର ଆରଟିଆଇ ତଥ୍ୟ ଆଧାରରେ କହିଛନ୍ତି ବିଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଛାଡ କରାଯାଇଛି । ଏହା ପରେ ବି ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ରେ ବଡ ବୃଦ୍ଧି ପାଇଁ ଦାବି କରାଯାଇଛି । ଏତେ ବଡ ପାଣି ବିଲ୍ ଛାଡ କଲା ପରେ ବି ଏହି ସରକାରୀ କମ୍ପାନୀ ଖାଉଟି ମାନଙ୍କ ଉପରେ ବୋଝ ଲଦିବା ପାଇଁ କାହିଁକି ଦାବି କରୁଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ନେଇଛି ନା ନାହିଁ ବୋଲି ଏହା ସ୍ପଷ୍ଟ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ ପିଛା ପ୍ରଥମ ୫୦ ୟିନିଟ୍ ପର୍ଯ୍ୟନ୍ତ ୨ଟ ୫୦ ପଇସା ରହିଥିବା ବେଳେ ଦେଶର ସିକିମ ରାଜ୍ୟରେ ଯଥାକ୍ରମେ ୟୁନିଟ୍ ପିଛା ୧ଟ ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧.୪୫ଟ, ଗୋଆରେ ୧.୪୦ଟ ଓ ଛତିଶଗଡରେ ୨.୪୦ଟ ରହିଛି । ସେହିପରି ତାମିଲନାଡୁ ଭଳି ରାଜ୍ୟରେ ୧୦୦ ୟୁନିଟ ଯାଏଁ ମାଗଣା ବ୍ୟବସ୍ଥା ରହିଛି ଅର୍ଥାତ୍ ୧୦୦ ୟୁନିଟ୍ ଯାଏଁ କୌଣସି ଟଙ୍କା ଦେବାକୁ ପଡେନାହିଁ ।
ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକ ମାନଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଦାବି କରିଛନ୍ତି । ଏହାସହ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସାର ଟାରିଫ୍ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ ଟଙ୍କା ୫୦କୁ କମ୍ କରିବା ପାଇଁ ଦାବି କରିଛନ୍ତି । ଏହାସହ ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି । ଓଡିଶାର ଶିଳ୍ପ ବିକାଶ ପାଇଁ ଏହି ଶିଳ୍ପ ଅଗ୍ରଣୀ ରାଜ୍ୟ ମାନଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
