
ଭୁବନେଶ୍ୱର: ପୁଣି ସରକାରଙ୍କ ମୁଖା ଖୋଲିଲା କେନ୍ଦ୍ର । ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଅସଲ ଚେହେରା । ଜାତି ଭିତ୍ତିକ ଜନଗଣନା ଦାବି ପଛର ମୂଳ କାରଣ ଏବେ ପର୍ଦ୍ଦାଫାସ୍ ହୋଇଯାଇଛି । ଜାତୀୟ ପଛୁଆ ବର୍ଗ କମିଶନଙ୍କ ଚିଠି ଖୋଲି ଦେଇଛି ରାଜ୍ୟ ସରକାରଙ୍କ ମୁଖା । ନିଜ ଦୋଷ ଲୁଚାଇବାକୁ ଯାଇ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଥିଲେ ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ଲାଗି ଓଡିଶାରେ କି କି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ତାହାର ଏକ ରିପୋର୍ଟ ଗତ 8 ତାରିଖରେ ରାଜ୍ୟ ସରକାରଙ୍କୁ ମାଗିଥିଲେ ଜାତୀୟ ପଛୁଆ ବର୍ଗ କମିଶନ । ଯେଉଁଥିରେ ଦର୍ଶାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ତୁରନ୍ତ କେନ୍ଦ୍ରକୁ ରାଜ୍ୟ ସରକାର ବିବରଣୀ ଦିଅନ୍ତୁ । ଆଉ ଏଥିରୁ ବର୍ତିବା ଲାଗି ରାଜ୍ୟ ସରକାର ବଡ଼ ଚତୁରତାର ସହ ଠିକ୍ ଦୁଇ ଦିନ ପରେ ସାମ୍ନାକୁ ଆଣିଥିଲେ ଜାତି ଭିତ୍ତିକ ଜଣଗଣନା ପ୍ରସଙ୍ଗ । ଯାହାକୁ ନେଇ ଦୀର୍ଘ ଦିନ ଧରି ଖବର ଶିରୋନାମାରେ ରହିଲେ ରାଜ୍ୟ ସରକାର । ଖାଲି ସେତିକି ନୁହେଁ କାହିଁକି ଓଡ଼ିଶା ପାଇଁ ନିୟମ ପରିବର୍ତ୍ତନ କରାଯିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ମଧ୍ୟ ଉଠିଥିଲା । ତେବେ ପ୍ରକୃତ ବାସ୍ତବତା ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ସେପଟେ ରାଜ୍ୟରେ ଦୀର୍ଘ ଦିନ ଧରି ପଛୁଆ ବର୍ଗଙ୍କୁ ଅବହେଳା କରାଯାଉଥିବା କଥା ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ଓଡିଶାରେ ଓବିସି ଓ ଏସ୍ଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି । ଓଡ଼ିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସିମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ମଧ୍ୟ ଦେଇନାହାନ୍ତି । ଉଭୟ ଓବିସି ଓ ଏସଇବିସି ବର୍ଗର ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗଦେବାରୁ ବଂଚିତ ହେଉଛନ୍ତି ଓ ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ । ଏମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର ।
ଏହାସହ ରାଜ୍ୟରେ ଓବିସି କମିଶନ ନିଯୁକ୍ତି ପ୍ରସଙ୍ଗକୁ ମଧ୍ୟ ଚିଠି ମାଧ୍ୟମରେ ସରକାରଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । ମାତ୍ର ବର୍ତ୍ତମାନ ଜାତୀୟ ପଛୁଆ ବର୍ଗ କମିଶନ ଲେଖିଥିବା ଚିଠି ସାମ୍ନାକୁ ଆସିବା ପରେ ବିଜେଡି ନେତା ସେ ବିଷୟରେ ପ୍ରତିକ୍ରିୟା ରଖିବାକୁ ଥଥ ମମ ହୋଇଛନ୍ତି ।
ଜାତୀୟ ପଛୁଆ ବର୍ଗ କମିଶନଙ୍କ ଚିଠି ସାମ୍ନାକୁ ଆସିବା ପରେ ସରକାର ଓବିସି ଓ ଏସିବିସିଙ୍କ ଲାଗି କେତେ ସଚେତନ ତାକୁ ନେଇ ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।
