କେନ୍ଦ୍ରାପଡା: ଶେଷରେ ପ୍ରମୋଦ ସାହୁଙ୍କୁ ଗିରଫ କଲା ପୋଲିସ । ଜଣେ ଯୁବତୀଙ୍କୁ ଅସଦାଚରଣ କରିବାର ସାଙ୍ଘାତିକ ଅଭିଯୋଗ ଆସିବା ପରେ ବିଳମ୍ବରେ ହେଲେ ମଧ୍ୟ ପୋଲିସ ପ୍ରମୋଦଙ୍କୁ ଗିରଫ କରିଛି ।
ଟାଣୁଆନେତା ପ୍ରମୋଦ ସାହୁଙ୍କ ବିରୋଧରେ ମହିଳାଙ୍କୁ ଅସଦାଟରଣ ଅଭିଯୋଗ ଆସିବା ପରେ ପଲଟି ମାରିଛି ବିଜେଡି । କେନ୍ଦ୍ରାପଡା ବିଜେଡିର ଟାଣୁଆ ନେତା ତଥା କେନ୍ଦ୍ରାପଡା କେଡ୍ରିଟ୍ କୋଅପରେଟଭ୍ ସୋସାଇଟର ସଭାପତି ପ୍ରମୋଦ ସାହୁ ବିଜେଡିର ନୁହଁନ୍ତି ବୋଲି ଦଳୀୟ ମୁଖପାତ୍ର କହିଛନ୍ତି । ତାଙ୍କ ଦଳକୁ ବଦନାମ କରିବା ପାଇଁ ବିରୋଧୀ ଚକ୍ରାନ୍ତ କରିଛନ୍ତି ବୋଲି ରୋକଠୋକ୍ କହିଛନ୍ତି ବିଜେଡିର ମୁଖପାତ୍ର ଲେଲିନ୍ । ତେବେ ପୂର୍ବରୁ ଅନେକ ସମୟରେ ବିଜେଡି ମଞ୍ଚରେ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ବସିଥିବା ଦେଖାଯାଇଛି । ବେକରେ ଦଳୀୟ ପତାକା, ପାଖରେ ବିଜେଡିର ହେଭିୱେଟ୍ ନେତା ବସିଥିବା ମଧ୍ୟ ଦେଖାଯାଇଛି । ଏକଥା ହିଁ ପ୍ରମାଣ କରୁଛି ପ୍ରମୋଦଙ୍କର ବିଜେଡିରେ କେତେ ଦବଦବା ଥିଲା । ଏନେଇ ସୋସିଆଲ ମିଡିଆରେ ଫଟୋ ମଧ୍ୟ ରହିଛି ।
ସେହି ଫଟୋରେ ବିଜେଡିର ଟାଣୁଆ ନେତା ତଥା ତୃତୀୟ ମହଲାର ବେଶ୍ ପାଖ ଲୋକ କୁହାଯାଉଥିବା ମନ୍ତ୍ରୀ ପ୍ରତାପ ଜେନା ଓ ଦେବୀପ୍ରସାଦ ମିଶ୍ର ରହିଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ରାପଡା ଜିଲ୍ଲାରେ ଚାଲିଥିବା ବିଜେଡିର ଜନସମ୍ପର୍କ ପଦଯାତ୍ର, ମହାନଦୀ ସୁରକ୍ଷା ଭଳି କାର୍ଯ୍ୟକ୍ରମର ମଙ୍ଗ ଧରିଥିଲେ ଖୋଦ୍ ପ୍ରମୋଦ । କେନ୍ଦ୍ରାପଡା, ଯାଜପୁରର ବଡବଡ ବିଜେଡି ନେତାଙ୍କ ସହ ରହିଛି ପ୍ରମୋଦଙ୍କର ଫଟୋ । ସଭାମଞ୍ଚରେ ଭାଷଣ ଦେବାର ଫଟୋ ସହ ସେ ନିଜକୁ ବିଜେଡି ନେତା ଓ ରାଜ୍ୟ ସମ୍ପାଦକ ଭାବେ ନିଜର ଫେସବୁକ୍ ଆକାଉଣ୍ଟରେ ଦର୍ଶାଇଛନ୍ତି ହେଲେ ତାଙ୍କର କେଳେଙ୍କାରୀ ପଦାକୁ ଆସିବା ପରେ ଏବେ ବିଜେଡି କହୁଛି ପ୍ରମୋଦ ଢେର ଆଗରୁ ଦଳ ଛାଡି ଦେଇଛନ୍ତି । ତେବେ କେଉଁ ତାରିଖରେ ଦଳ ଛାଡିଛନ୍ତି ସେ କଥା ପ୍ରକାଶ କରିନାହାନ୍ତି ମୁଖପାତ୍ର ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କର କାମ ପାଇଁ ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଶାସ୍ତ୍ରୀଜୀ ନବରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ତେବେ ପ୍ରମୋଦଙ୍କୁ ନିଜ ଦଳର ନେତା ନୁହଁନ୍ତି ବୋଲି ବିଜେଡି ମୁଖପାତ୍ର କ୍ଲିନଚିଟ୍ ଦେବାପରେ ଏବେ କେନ୍ଦ୍ରାପଡା ପୋଲିସ ହୋଇଯାଇଛି ଆକ୍ଟିଭ୍ । ଆଉ ତାଙ୍କୁ ଗିରଫ କରିଛି ।
ପ୍ରମୋଦଙ୍କ ବିରୋଧରେ ତାଙ୍କ କାର୍ଯ୍ୟାଳୟର ଜଣେ ଯୁବତୀ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଏପରିକି ପ୍ରମୋଦ ତାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କ ଶରୀରକୁ ବାରମ୍ବାର ଛୁଇଁଥିବାର ଅଭିଯୋଗ କରିଥିଲେ ଯୁବତୀ । ହେଲେ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସାହସ ଜୁଟାଇ ପାରୁନଥିଲା କେନ୍ଦ୍ରାପଡା ପୋଲିସ । ହେଲେ ବିଜେଡି ହାତ ଟେକିଦେବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।
