ଭୁବନେଶ୍ୱର: ପୁଣି ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି କହି କଡ଼ା ସମାଲୋଚନା କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରା ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ଆକ୍ଷେପ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅନ୍ୟାୟ ବଢ଼ିବାରେ ଲାଗିଛି । କିନ୍ତୁ ଅଭିଯୁକ୍ତୁ ଧରିବାରେ ପୋଲିସ ବିଫଳ ହେଉଛି । କେବଳ ସରକାରଙ୍କ ଉଦାସୀନତା ଯୋଗୁଁ ଅଭିଯୁକ୍ତମାନେ ପାର୍ ପାଉଛନ୍ତି ବୋଲି କହିଛନ୍ତି ଗଣେଶ୍ୱର । ରାଜ୍ୟରେ ହୋଇଥିବା ବିଭିନ୍ନ ଗଣଦୁଷ୍କର୍ମ, ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ଏକ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ ।
କଂଗ୍ରେସ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ରାଜ୍ୟରେ ମୋ ସରକାର ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କ ପରିବାର ଲୋକଙ୍କୁ ଦିଆଗଲାନି ପୋଷ୍ଟ ମର୍ଟମ ରିପୋର୍ଟ । ଏହା ସହ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ସିଧାସଳଖ ପୋଲିସର ହାତ ରହିଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । 3 ମାସ ମଧ୍ୟରେ ରାଜ୍ୟରେ 423 ଜଣ ନାବାଳିକା ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସରକାରଙ୍କ ବିରୋଧରେ ସଙ୍ଗିନ ଆରୋପ ଲଗାଇଛି କଂଗ୍ରେସ । ରାଜ୍ୟରେ ବିଗତ 10 ବର୍ଷ ମଧ୍ୟରେ 17 ହଜାରରୁ ଉର୍ଦ୍ଧ୍ୱ ଦୁଷ୍କର୍ମ ମାମଲା ରହିଛି ।
ନାରୀଙ୍କ ସୁରକ୍ଷା ପାଇଁ ସରକାର ଆରମ୍ଭ କରିଥିବା ସଖି ଓ ପରି କାର୍ଯ୍ୟକ୍ରମ ମଧ୍ୟ ଫେଲ୍ ମାରିଛି । ସେପଟେ କିନ୍ତୁ ଅଧିକରୁ ଅଧିକ ମଦ ବିକ୍ରି କରି ରାଜସ୍ୱ ବଢାଇବାରେ ରାଜ୍ୟ ସରକାର ବ୍ୟସ୍ତ ବୋଲି କଂଗ୍ରେସ ସମାଲୋଚନା କରିଛି । ଏହି ପ୍ରେସମିଟରେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଗଣେଶ୍ୱର ବେହେରା, ସ୍ମୃତିରେଖା ପହି ପ୍ରମୁଖ ଉପସ୍ଥିତ ଥିଲେ ।
