ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ କରିବେ ବୋଲି ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ବିଦ୍ଧିବଦ୍ଧ ଭାବେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ସମୟରେ ପ୍ରଶନ୍ନଙ୍କ ନାଁ ତାଲିକାରେ ନଥିଲା । ତେବେ ପ୍ରଶନ୍ନଙ୍କୁ ପ୍ରାର୍ଥୀ କରାଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ନବୀନଙ୍କ ନିଷ୍ପତ୍ତିରେ ସେ ଦୁଃଖିତ ବୋଲି କହିଛନ୍ତି । ଆଶା ରଖିଲେ ତ ନିରାଶ ହେବାକୁ ପଡ଼େ । ବିଲକୁଲ୍ ଟିକଟ ନପାଇବା ଅପେକ୍ଷା ବିଳମ୍ବରେ ଟିକଟ ପାଇଲେ ଭଲ ବୋଲି ସେ କହିଛନ୍ତି । ତେବେ ତାଙ୍କ କଥାରୁ ଜଣାପଡ଼ୁଥିଲା ଯେ, ଆଉ 10 ମାସ ପରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ସେ ଆଶା କରିଛନ୍ତି ।
ଅନ୍ୟପଟେ ପ୍ରଶନ୍ନ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦଳ ପାଇଁ ନିଶ୍ଚିତ ହିତ ସାବ୍ୟସ୍ତ ହେବ । ତେଣୁ ସେ ଆଗାମୀ ଦିନକୁ ଅପେକ୍ଷା କରିଛନ୍ତି । ଦଳ ନିଶ୍ଚୟ ତାଙ୍କୁ ଆଗାମୀ ଦିନରେ ପ୍ରାର୍ଥୀ କରିବ ବୋଲି ସେ ଆଶା ରଖିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଶ୍ରୁତି ପାଳନ କରିବା ସହଜ କଥା ନୁହେଁ । ସମସ୍ତଙ୍କ ଜୀବନରେ ଏଭଳି ଘଟିଥାଏ । ସାଧାରଣ ଜୀବନରେ ସମସ୍ତେ କାହାକୁ ନା କାହାକୁ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ପରେ ତାହା ପାଳନ କରିବା କଷ୍ଟକର ହୋଇଥାଏ ବୋଲି ପ୍ରଶନ୍ନ କହିଛନ୍ତି ।
ତେବେ କ’ଣ କହୁଛନ୍ତି ପ୍ରଶନ୍ନ ? ଦେଖନ୍ତୁ ଭିଡିଓ..
