କେନ୍ଦ୍ରାପଡ଼ା: ଓଡ଼ିଶାରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଗାମୀ 29ରେ ରହିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁରବାସୀ ନିଜର ମତସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟରେ ସବୁଠି ଦେଖିବାକୁ ମିଳୁଛି କଡ଼ା ଟକ୍କର । 6ଟି ଲୋକସଭା ମଧ୍ୟରୁ କେନ୍ଦ୍ରାପଡ଼ା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏଠି ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉନାହିଁ । ଏଠି ଲଢେଇ ହେଉଛି ତ କେବଳ ‘ଆନ୍-ବାନ୍-ସାନ୍’ର ଲଢେଇ ।

ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଷ୍ଟ୍ରୀୟ ଉପ-ସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏହି ଦୁଇ ନେତାଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର ।
ହେଲେ ଏଠାରେ ପ୍ରକୃତ ଲଢେଇ ହେଉଛି ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ । କାରଣ ନବୀନ ବୈଜୟନ୍ତଙ୍କୁ ହରାଇବା ପାଇଁ ନିଜେ ମଇଦାନକୁ ଓହ୍ଲାଉଛନ୍ତି । କେନ୍ଦ୍ରାପଡ଼ାରେ ତିନୋଟି ରୋଡ୍ ସୋ’ କରିବେ ବୋଲି ସ୍ଥିର କରିଛନ୍ତି । ଏମିତିକି ବୈଜୟନ୍ତଙ୍କ ବିରୋଧରେ ସେ ବିଭିନ୍ନ ଗଣମାଧ୍ୟମରେ ବିଷୋଦ୍ଗାର କରିଛନ୍ତି । ତେଣୁ ଯଦି ବୈଜୟନ୍ତ ଜିତିବେ ତେବେ ନବୀନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିବ ।

ସେପଟେ ବୈଜୟନ୍ତ–ଅନୁଭବ କଥା କଟାକଟି ଜୋର୍ଦାର୍ ଚାଲିଛି । ବୈଜୟନ୍ତଙ୍କୁ ବେଇମାନ ବୋଲି ଅନୁଭବ କହୁଥିବା ବେଳେ ଏହାର ଦୃଢ ଜବାବ ରଖୁଛନ୍ତି ବୈଜୟନ୍ତ । ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା ଗୁଡ଼ିକରେ ଏବେ ବିଜେପି ଲହର ଖେଳିଯାଇଥିବା ଦେଖାଯାଇଛି । କାରଣ ସାଲେପୁରର ବିଧାୟକ ପ୍ରକାଶ ବେହେରା ଏବେ ବିଜେପିରେ ସାମିଲ ହୋଇଛନ୍ତି । ସାଲେପୁରରେ ତାଙ୍କର ଦବଦବା ବେଶ୍ ଭଲ ରହିଛି । ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଏବେ ଢେର୍ ଅସନ୍ତୋଷ ରହିଥିବା ଚର୍ଚ୍ଚା ହେଉଛି । ଏମିତିକି ସ୍ଥାନୀୟ ବିଜେଡି ନେତା ତାଙ୍କୁ ଟିକଟ ନଦିଆଯାଉ ବୋଲି ମେଳି ବାନ୍ଧିଥିଲେ । କିନ୍ତୁ ସୁପ୍ରିମୋ ତାଙ୍କୁ ଟିକଟ ଦେଇଥିବାରୁ ଅସନ୍ତୋଷ ଏବେ ଚରମ ସୀମାରେ ପହଞ୍ଚିଲାଣି । ଏହି ଅସନ୍ତୁଷ୍ଟଙ୍କ ଭୋଟ ଏବେ ଭାଜପା ମୁହାଁ ହେଉଥିବା ସର୍ଭେ ରିପୋର୍ଟ କହୁଛି । ସେହିଭଳି ପାଟକୁରାରେ ମଧ୍ୟ ବିଜେପି ହାଓ୍ୱା ରହିଛି । କାରଣ ସେଠାରେ ବିଜେପିର ହେଭିଓ୍ୱେଟ୍ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ମଧ୍ୟ ରହିଛି ମୋଦି ଲହର । ସେଠାରେ ବଜେପି ପ୍ରାର୍ଥୀଙ୍କୁ ମଧ୍ୟ ଢେର୍ ସମର୍ଥନ ମିଳୁଛି । ଏହା ସତ୍ତ୍ୱେ ଏକ ଭିତିରିଆ ଖବର ଅନୁସାରେ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ବୈଜୟନ୍ତଙ୍କୁ ସମର୍ଥନ କରୁଛନ୍ତି । ଅନ୍ୟପଟେ ଆଳିରେ ମଧ୍ୟ ବିଜେପିକୁ ଢେର୍ ସମର୍ଥନ ମିଳିବାର ସମ୍ଭାବନା ରହିଛି । କାରଣ ସେଠାରେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ସମର୍ଥକଙ୍କ ମତ ବୈଜୟନ୍ତଙ୍କ ସପକ୍ଷରେ ଯିବ ବୋଲି କୁହାଯାଉଛି ।
ଅନ୍ୟପଟେ କେନ୍ଦ୍ରାପଡ଼ାକୁ ବିଜେଡିର ଗଡ଼ ବୋଲି କୁହାଯାଏ । 1989ରୁ ଜନତା ଦଳ କବ୍ଜାରେ ଥିବା କେନ୍ଦ୍ରାପଡ଼ା ଲୋକସଭା 1998ରେ ବିଜେଡି କବ୍ଜାକୁ ଆସିଥିଲା । ଏହା ପରଠୁ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ସେଠାରେ ନିଜ ପ୍ରଭାବ ବିସ୍ତାର କରିପାରି ନାହିଁ । ଅନେକ ବଡ଼ ନେତା ଏହାକୁ ଆଖେଇଥିଲେ ମଧ୍ୟ କେନ୍ଦ୍ରାପଡ଼ାବାସୀ ସେମାନଙ୍କୁ ପ୍ରତ୍ୟାକ୍ଷାନ କରିଛନ୍ତି । ତେଣୁ ବିଜେଡି ଗଡ଼ରେ ବୈଜୟନ୍ତଙ୍କର ଜିତିବା ସେତେଟା ସହଜ ହେବ ନାହିଁ ବୋଲି ରେକର୍ଡ କହୁଛି ।
ତେବେ ଏହିସବୁ ପରିସ୍ଥିତିରେ ମଧ୍ୟ ଅଭିଜ୍ଞ ରାଜନେତା ବୈଜୟନ୍ତଙ୍କୁ ମାତ୍ ଦେବା ପାଇଁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିବ । ଅଭିନେତା ଅନୁଭବ ମହାନ୍ତିଙ୍କର ସେଠାରେ ଯଥେଷ୍ଟ କ୍ରେଜ୍ ରହିଛି । ଏହା ସହ ଅନୁଭବଙ୍କୁ ଲଢିବା ପାଇଁ ବିଜେଡି ବ୍ରାଣ୍ଡ ବେଶ୍ ସହାୟତା ଦେଉଛି । କାରଣ କେନ୍ଦ୍ରାପଡ଼ା ହେଉଛି ବିଜେଡି ଗଡ଼ ।
କେନ୍ଦ୍ରାପଡ଼ାର ଏହି ହାଇପ୍ରୋଫାଇଲ୍ ଲଢେଇରେ କଂଗ୍ରେସ ଏକ ପ୍ରକାର ହଜିଯାଇଥିବା ଦେଖାଯାଇଛି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଧରଣୀଧର ନାୟକ ।
ଏନେଇ ଆପଣଙ୍କ ମତାମତ କ’ଣ ରହିଛି ଆମ କମେଣ୍ଟ ବକ୍ସରେ ଜଣାନ୍ତୁ...