କେନ୍ଦୁଝର: ନିର୍ବାଚନ ପୂର୍ବରୁ କେନ୍ଦୁଝର ଲୋକସଭା ଆସନ ଏବେ ଚର୍ଚ୍ଚାରେ । ଏଠି ଲଢେଇ ହେଉଛି ବିଜେପି ସହ ବିଜେଡି ଓ ସନା ସମର୍ଥକଙ୍କ ମଧ୍ୟରେ । କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପ୍ରଚାର ପ୍ରସାରରେ ପୁରା ପଛରେ ପଡ଼ିଯାଇଛି । ଅନ୍ୟପଟେ ମୋଦି ହାଓ୍ୱା ଥିବାରୁ ଏଠି ବିଜେପି ମଧ୍ୟ ଭୋଟ ହାର ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଥର ବିଜେପି -ବିଜେଡି ଲଢେଇ ଜୋରଦାର ହେବ । ତେବେ ମଇଦାନରେ ଅଛନ୍ତି ବିଜେଡିର ଚନ୍ଦ୍ରାଣୀ ମୁର୍ମୁ, ଯାହାଙ୍କ ପାଇଁ ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ଚର୍ଚ୍ଚାରେ । ସେପଟେ ବିଜେପିର ପ୍ରାର୍ଥୀ ଅଛନ୍ତି ଅନୁଭବୀ ନେତା ଅନନ୍ତ କୁମାର ନାୟକ । ଆଉ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି ଫକୀର ମୋହନ ନାଏକ ।
ନିର୍ବାଚନ ପୂର୍ବରୁ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ ଢେର୍ ଚର୍ଚ୍ଚା ମଧ୍ୟ ହୋଇଛି । ଏମିତିକି ପ୍ରଥମେ ଦୁଇ ଜଣଙ୍କୁ ପୋଲିସ ଗରିଫ କରିଥିବା ବେଳେ ଦୁଇ ସମ୍ବାଦିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଛି । ତେବେ ନିର୍ବାଚନ ମଇଦାନକୁ ସମ୍ପୂର୍ଣ୍ଣ ନୂଆ ଏଣ୍ଟ୍ରୀ କରିଥିବା ଚନ୍ଦ୍ରାଣୀଙ୍କ ସାମ୍ନାରେ ରହିଛନ୍ତି ବିଜେପିର ଦୁଇ ଥରର ଅନୁଭବୀ ସାଂସଦ ଅନନ୍ତ ନାଏକ । ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର ବାଦ୍ଶାହ କୁହାଯାଉଥିବା ସନାତନ ମହାକୁଡ଼ଙ୍କ କ୍ୟାଣ୍ଡିଡେଟ୍ । ତାଙ୍କ ପଛରେ ସନାଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି । ଆଉ ସନାଙ୍କ ଦବଦବା କେନ୍ଦୁଝରରେ କାହାକୁ ଅଛପା ନାହିଁ । କୁହାଯାଏ ସ୍ୱୟଂ ମୁଖ୍ୟମନ୍ତ୍ରୀ ଯଦି ସନାଙ୍କ ବିରୋଧରେ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ପାଇଁ ମଧ୍ୟ ସନାଙ୍କୁ ମାତ୍ ଦେବା କଷ୍ଟ ହେବ ।

ତେବେ ଚନ୍ଦ୍ରାଣୀ ପ୍ରାର୍ଥୀ ହେବା ଦିନଠାରୁ ବିବାଦରେ ରହି ଆସିଛନ୍ତି । ନାମାଙ୍କନରେ ନିଜ ପିତାଙ୍କ ନାମ ଭୁଲ୍ ଥିବା ଘଟଣାରୁ ଆରମ୍ଭ କରି ଭିଡିଓ ଭାଇରାଲ ପର୍ଯ୍ୟନ୍ତ ସେ ବିବାଦରେ ରହିଛନ୍ତି । ଅନ୍ୟପଟେ ବିଜେଡି କେନ୍ଦୁଝର ଲୋକସଭା ପାଇଁ ବାରମ୍ବାର ପ୍ରାର୍ଥୀ ବଦଳାଇଛି । 2014 ନିର୍ବାଚନରେ ସକୁନ୍ତଳା ଲାଗୁରି ପ୍ରାର୍ଥୀ ଥିବା ବେଳ 2009ରେ ଯଶବନ୍ତ ନାରାୟଣ ସିଂହ ଲାଗୁରି ପ୍ରାର୍ଥୀ ଥିଲେ । ଗତଥରର ବିଜେଡି ସାଂସଦ ସକୁନ୍ତଳା ଲାଗୁରିଙ୍କୁ ଏଥର ବଜେଡି ବିନା କୌଣସିରେ ପ୍ରାର୍ଥୀ କରିନାହିଁ । ତେବେ ତାଙ୍କ ଭିତରେ ମଧ୍ୟ ଏନେଇ ଚାପା ଅସନ୍ତୋଷ ରହିଛି । ଏହି ଅସନ୍ତୋଷ ଚନ୍ଦ୍ରାଣୀଙ୍କ ପାଇଁ ଘାଟା ହୋଇପାରେ ବୋଲି କୁହାଯାଉଛି ।

ସେପଟେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ହେଉଛନ୍ତି ଜଣେ ଅଭିଜ୍ଞ ନେତା । କେନ୍ଦୁଝର ଲୋକସଭା ଆସନରୁ ଦୁଇ ଦୁଇ ଥର ସେ ନିର୍ବାଚିତ ହୋଇ ସାରିଛନ୍ତି । 1999 ଓ 2004ରେ ସେ ବହୁଳ ବ୍ୟବଧାନରେ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କ ଆଗରେ ଚନ୍ଦ୍ରାଣୀ ସମ୍ପୁର୍ଣ୍ଣ ନୂଆ ।

ଏହା ସହ ମୋଦିଙ୍କ ଲହର ମଧ୍ୟ ରହିଛି କେନ୍ଦୁଝରରେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ ହାର ମଧ୍ୟ ବଢିଥିବା ଦେଖାଯାଇଛି । ସେପଟେ କେନ୍ଦୁଝରର ଯୁବ ରାଣୀ ଏବେ ବିଜେପିରେ ସାମିଲ ହୋଇଛନ୍ତି । ଯୁବ ରାଣୀ ସୁନନ୍ଦିନୀ ଭଞ୍ଜଦେଓ ବିଜେପିରେ ସାମିଲ ହେବା ପରେ ରାଜପରିବାରର ସପୋର୍ଟ ଅନନ୍ତଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ । କେନ୍ଦୁଝରରେ ରାଜପରିବାରର ବେଶ୍ କ୍ଷାତି ମଧ୍ୟ ରହିଛି । ତେଣୁ ଅନନ୍ତଙ୍କୁ ଟକ୍କର ଦେବାକୁ ଚନ୍ଦ୍ରାଣୀଙ୍କ ପକ୍ଷରେ ସେତେଟା ସହଜ ହେବ ନାହିଁ ବୋଲି ଆକଳନ କହୁଛି ।

