ଭୁବନେଶ୍ୱର: ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ବିଧାନସଭାରେ ମୁଖ୍ୟବିରୋଧୀ ବିଜେପି ବିଧାୟକଙ୍କ ଅଭିନବ ପ୍ରତିବାଦ । ଗୃହରେ ଉପସ୍ଥିତ ଥିଲେ ମଧ୍ୟ କଳାକପଡା ପରିଧାନ କରି ନୀରବ ପ୍ରତିବାଦ କରିଛନ୍ତି ବିଧାୟକ । ଘଟଣାର ସିବିଆଇ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ 302 ଦଫା ଲଗାଇବାକୁ ଦାବି କରିଛି ବିଜେପି ବିଧାୟକ ଦଳ । କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ବିଧାନସଭାରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ବିଧାନସଭା ଗୃହରେ ଦେହରେ କଳାକପଡା, ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରିଛି ବିଜେପି । ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟ ଘଟଣାର ସିବିଆଇ ତଦନ୍ତ କରିବା, ଅପରାଧୀଙ୍କ ବିରୋଧରେ 302 ଦଫା ଲଗାଇବା ଏବଂ ତଦନ୍ତ ପୂର୍ବରୁ ବିବାଦୀୟ ବୟାନ୍ ଦେଇଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରିବା ସହ ଅପରାଧୀଙ୍କୁ ପ୍ରୋତ୍ସାହନ ଦେବା ଭଳି କାମ କରିଥିବା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ମଧ୍ୟ ବହିଷ୍କାର କରିବାକୁ ଦାବି କରିଛି ବିଜେପି । ପ୍ରତିବାଦ ସ୍ୱରୁପ ଦଳର ସମସ୍ତ ବିଧାୟକ ମାନେ ଗୃହରେ ଉପସ୍ଥିତ ଥିଲେ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିଲେ । ତେବେ ବାଚସ୍ପତିଙ୍କ ଅନୁରୋଧ କ୍ରମେ କେବଳ ମୁହଁରୁ କଳାପଟି କାଢି ନିଜ ଆସନରେ ବସି ରହି ପ୍ରତିବାଦ ଜାରି ରଖିଥିଲେ ।
ସେପଟେ ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଉଦବେଗ ପ୍ରକାଶ କରିଛି । ଭିଏଲଡବ୍ଲୁଙ୍କ ବାପା ଓ ଶଶ୍ୱୁର ଯେଉଁ ବୟାନ ଦେଇଛନ୍ତି ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ କଂଗ୍ରେସ କହିବା ସହ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦଳ ଦାବି କରିଛି ।
କେବଳ ବିଧାନସଭାରେ ନୁହେଁ ସରକାରଙ୍କ ଭୂମିକାକୁ ନେଇ ଆଜି ଗୃହ ବାହାରେ ମଧ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ବିଧାୟକ ଦଳ । ବିରୋଧୀ ଦଳ ନେତା କୌଣସି ପ୍ରସଙ୍ଗରେ କହିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ । ବାଚସ୍ପତି ଶାସକ ଦଳର ଚାପରେ ଆସି ତାଙ୍କୁ କହିବାର ସୁଯୋଗ ଦେଉନାହାନ୍ତି । ତେଣୁ ଏହି ପ୍ରସଙ୍ଗକୁ ନେଇ ବିଜେପି ତାର ପ୍ରତିବାଦ ଜାରି ରଖିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ବିଧାୟକ ଦଳ । ଏପରିକି ଘଟଣା ଦିନ ସେଠାରେ ଉପସ୍ଥିତ ଥିବା 2 ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଓ ରାମକୋ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ ? ବୋଲି ବିଜେପି ପ୍ରଶ୍ନ କରିଥିବା ବେଳେ ରଙ୍ଗଶାଳାର ସିସିଟିଭି ଫୁଟେଜ୍ ସହ ସ୍ମିତାରାଣୀଙ୍କ କଲ ରେକର୍ଡ କଣ ପାଇଁ ଯାଞ୍ଚ କରାଯାଉ ନାହିଁ ବୋଲି ବିଜେପି ବିଧାୟକ ଦଳ ପ୍ରଶ୍ନ ଉଠାଇଛି ।
