
ଭୁବନେଶ୍ୱର: ନିରଞ୍ଜନଙ୍କ ଗଳାରେ ବାଉନସର କଣ୍ଟା । କଂଗ୍ରେସ ଭବନରେ ବାଉନସର ମୁତୟନ ପ୍ରସଙ୍ଗକୁ ଚାପିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବାଉନସର କିଏ ଆଣିଥିଲା ସେ ଜାଣି ନାହାନ୍ତି । ତେବେ କିଏ ଆଣିଥିଲା ବାଉନସର ? କାହାକୁ ଦେଉଥିଲେ ସୁରକ୍ଷା ? କେହି ପଠେଇଥିଲେ... ନା ନିଜେ ମୁଖିଆ କରିଥିଲେ ବନ୍ଦୋବସ୍ତ ? ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । କଂଗ୍ରେସ ଭବନରେ ବାଉନସର ମୁତୟନ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଗତ 17 ତାରିଖ ଦଳର ସାଙ୍ଗଠନିକ ବୈଠକ ଚାଲିଥିବା ବେଳେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ପରିସରରେ 10ରୁ 15 ଜଣ କଳା ପୋଷାକଧାରୀ ପହିଲମାନଙ୍କୁ ଦେଖିବାକୁ ମିଳିଥିଲା ।
ରାଜ୍ୟ ନେତୃତ୍ୱ ବିରୋଧରେ ବୃଦ୍ଧି ପାଉଥିବା ଅସନ୍ତୋଷ ଏବଂ ଆକ୍ରୋଶ ଯୋଗୁଁ ଆକ୍ରମଣର ଆଶଙ୍କା ଥିବାରୁ ଖୋଦ୍ ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ସୁରକ୍ଷା ଦୃଷ୍ଟିରୁ ବାଉନସର ମୁତୟନ କରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଆଉ ବାହୁବଳୀ ବାଉନସର ସୁରକ୍ଷା ବଳୟ ଭିତରେ କଂଗ୍ରେସ ଭବନକୁ ପ୍ରବେଶ କରିଥିଲେ ପିସିସି ସଭାପତି । ହେଲେ ବାଉନସର ମୁତୟନ ବିବାଦରେ ଏବେ ସୃଷ୍ଟି ହୋଇଛି ନୂଆ ଟୁଇଷ୍ଟ । କାରଣ ବାଉନସର ମୁତୟନ ପ୍ରସଙ୍ଗରେ ନିରଞ୍ଜନଙ୍କୁ ଗତ 18 ତାରିଖ ଦିନ ନିନ୍ଦା କରିଥିଲେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ହେଲେ ଆଜି ଲେଉଟାଣି ମାରିଛନ୍ତି ସୁର । ନିରଞ୍ଜନ କିମ୍ବା ଦଳ ନେତା ବାଉନସର ଆଣିନଥିଲେ ବରଂ କଂଗ୍ରେସକୁ ବଦନାମ କରିବା ପାଇଁ ବିରୋଧୀ ଏହି ବାଉନସର ପଠାଇଥିଲେ ବୋଲି ସୁର କହିଛନ୍ତି । ସେହପରି ଦଳର ଅନ୍ୟ ତୁଙ୍ଗ ନେତା ମଧ୍ୟ ବାଉନସର ପ୍ରସଙ୍ଗରେ କିଛି ଜାଣିନଥିବା କହିଛନ୍ତି ।
ତେବେ କଂଗ୍ରେସ ଭବନରେ ବାଉନସର ମୁତୟନ ବିବାଦ ଥମିନଥିବା ବେଳେ ଆଉ ଏକ ଭିନ୍ନ ପ୍ରସଙ୍ଗକୁ ନେଇ ଦଳରେ ଆରମ୍ଭ ହୋଇଛି ମହାଭାରତ । ସୋସିଆଲ ମିଡିଆରେ କଂଗ୍ରେସ ମିଡିଆ ସେଲ୍ ଲିଷ୍ଟ ଭାଇରାଲ ହେବା ପରେ ଦଳରେ ସୃଷ୍ଟି ହୋଇଛି ଫାଟ । ତେବେ ଗତ କିଛିଦିନ ହେବ ମିଡିଆ ସେଲର ନୂତନ ଅଧ୍ୟକ୍ଷ, ଆବାହକ, ରିସୋର୍ସ ପର୍ସନ, ମୁଖପାତ୍ର, ଟିଭି ପ୍ୟାନେଲିଷ୍ଟ ଓ ମିଡିଆ କୋର୍ଡିନେଟରଙ୍କ ନାଁ ଉଲ୍ଲେଖ ରହିଥିବା ଏକ ଚିଠି ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ ମିଡିଆ ସେଲ ଅଧ୍ୟକ୍ଷ ଓ ପୂର୍ବତନ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କୁ ରିସୋର୍ସ ପର୍ସନ ଭାବେ ନିଯୁକ୍ତି ଦିଆଯାଇଛି । ଆଉ ଏହି ଚିଠିରେ ଖୋଦ୍ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦସ୍ତଖତ ରହିଥିବା ବେଳେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ।
ହେଲେ ମିଳିଥିବା ପଦବୀକୁ ନେଇ ସନ୍ତୁଷ୍ଟ ନଥିବା ଏବଂ ସମସ୍ତ ପଦ ପଦବୀରୁ ସତ୍ୟପ୍ରକାଶ ଇସ୍ତଫା ଦେଇଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସେହପରି ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ପ୍ରଶାନ୍ତ ଶତପଥି, ଟିଭି ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ପାଇଥିବା ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ଏବଂ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତି ପାଇଥିବା ଦୀପକ ମହାପାତ୍ର ମଧ୍ୟ ନୂତନ ଭାବେ ପାଇଥିବା ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହାସହ ତାଲିକାରୁ ବାଦ ପଡିଥିବା ପୂର୍ବତନ ମୁଖପାତ୍ର ଶୈଳେନ୍ଦୁ ମଜୁମଦାର ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳ ଓ ଦଳୀୟ ନେତୃତ୍ୱ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେପଟେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ତାଲିକା ଉପରେ ଦଳ ସ୍ପଷ୍ଟୀକରଣ ଦେଇନାହିଁ । ତେବେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ କେବଳ ପରିବର୍ତନ କଥା କହି କଥାକୁ ଆହୁରି ସସପେନ୍ସ ଭିତରକୁ ନେଇଯାଇଛନ୍ତି ।
ଗୋଟିଏ ପଟେ ହାତ ମୁଠା ଟାଣ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଅନ୍ୟପଟେ ପ୍ରତିଦିନ ଉପୁଜୁଥିବା ନୂଆ ନୂଆ ବିବାଦ ଯୋଗୁଁ ଦଳ ରସାତଳକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
