ଭୁବନେଶ୍ୱର/ପୁରୀ: ଆବାସ ଯୋଜନାରେ ମହାଘୋଟଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଆବାସ ଯୋଜନାରେ ମହାଦୁର୍ନୀତି ସହ ଫୋନି କ୍ଷତିଗ୍ରସ୍ତ ଚୟନରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନଥିବା ବେଳେ ବଡ଼ବଡିଆଙ୍କୁ ମିଳୁଛି ଘର । ସେହିପରି ପଞ୍ଚାୟତ ସ୍ତରରେ ପ୍ରସ୍ତୁତ ହୋଇଥିବା ଫୋନି କ୍ଷତିଗ୍ରସ୍ତ ତାଲିକାରେ ହିତାଧିକାରୀଙ୍କ ନାଁ ନାହିଁ । ଯାହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବିଜେପି ।
ବ୍ଲକ ଠାରୁ ବ୍ଲକ । ଗାଁଠୁ ଗାଁ ସବୁ ସ୍ଥାନରୁ ଆସୁଛି ସମାନ ଅଭିଯୋଗ । କଟକ ମାହାଙ୍ଗାରୁ ଆବାସ ଯୋଜନାରେ ମହାଘୋଟାଲା ଅଭିଯୋଗ ଆସିବା ପରେ ଏବେ ବିଭିନ୍ନ ବ୍ଲକରୁ ଆସୁଛି ସମାନ ଅଭିଯୋଗ । ଆବାସ କେଳେଙ୍କାରୀ ଓ ଫୋନି କ୍ଷତିଗ୍ରସ୍ତ ତାଲିକାରେ ଅନିୟମିତତା ଅଭିଯୋଗରେ ଆଜି ଧାରଣା ଦେଇଛି ବିଜେପି । କଟକରେ ବିଜେପି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ତଦନ୍ତ ଦାବି କରିଛନ୍ତି । କଟକରେ ଫୋନି କ୍ଷତିଗ୍ରସ୍ତ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଫୋନି ପାଇଁ କେନ୍ଦ୍ର ସରକାର 4ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଓଡିଶାକୁ ସହାୟତା ପ୍ରଦାନ କରିଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଛି ଦଳ ।
ସେହିପରି ଆବାସ କେଳେଙ୍କାରୀରେ ମଧ୍ୟ ମହାଘୋଟାଲା ହୋଇଛି । ବିଜେପି ପକ୍ଷରୁ ପ୍ରମାଣ ଦିଆଯାଇଥିଲେ ମଧ୍ୟ ସରକାର ଚୁପ୍ ବସିଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛି ଦଳ ଆବାସ କେଳାଙ୍କାରୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗାର ସମସ୍ତ ତଥ୍ୟ ଦେଇ ପୂର୍ବରୁ ସରକାରଙ୍କୁ ଘେରିଥିବା ବିଜେପି ।
ସମାନ ଅଭିଯୋଗ ଆସିଛି ପୁରୀରୁ । ଆଜି ପୁରୀର ବିଭିନ୍ନ ବ୍ଲକରୁ ଫୋନି କ୍ଷତିଗ୍ରସ୍ତ ଆସି ଲୋକାୟୁକ୍ତଙ୍କୁ ଫେରାଦ ହୋଇଛନ୍ତି । ଫୋନି ପରେ ପ୍ରଶାସନ ଗାଁରେ ପହଞ୍ଚି ସର୍ଭେ କରିଥିଲା । ଏପରିକି ତାଲିକାରେ ସେମାନଙ୍କ ନାଁ ମଧ୍ୟ ସାମିଲ କରାଗଲା । ମାତ୍ର ଏଯାଏଁ ସେମାନଙ୍କୁ ଘର ମିଳିନଥିବା ଅଭିଯୋଗ ହୋଇଛି । କେବଳ ପଲିଥିନ ଦେଇ କାମ ସାରି ଦେଇଛି ପ୍ରଶାସନ । ଦଳୀୟ ଭିତ୍ତିରେ ସହାୟତା ପ୍ରଦାନ କରାଯାଉଛି । ଗାଁର ବଡବଡିଆମାନେ ଅଧିକାରୀଙ୍କୁ ଲାଞ୍ଚ ଦେଇ କ୍ଷତିପୂରଣ ପାଉଥିବା ଅଭିଯୋଗ ଆଣିଛନ୍ତି ଲୋକେ ।
