ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି ବୋଲି ବିଜେପି ସାଂସଦ ରୂପା ଗାଙ୍ଗୁଲୀ ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ଆୟୋଜିତ ଏକ ବିଶାଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି ।
ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି ଯେ, ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି । କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଧର୍ମ ପରିବର୍ତନ କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ ।
ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି । କାରଣ ମୋ ବାପା ବାଲାଂଦେଶୀ ଥିଲେ । ମୋ ବାପା ଆଜି ବଂଚିଥିଲେ ସେ ଖୁସି ହୋଇଥାନ୍ତେ । ଶରଣାର୍ଥୀମାନଙ୍କ ମନରେ ସର୍ବଦା ନାଗରିକତା ପାଇବା ପାଇଁ ବ୍ୟାକୁଳତା ରହିଥାଏ । ଏହି ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛି ବୋଲି ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି । ସଭା ପରେ ଶ୍ରୀମତୀ ଗାଙ୍ଗୁଲି ସମାବେଶକୁ ଆସିଥିବା ଶରଣାର୍ଥୀମାନଙ୍କ ସହ ଏହି ଆଇନର ଉପକାରିତା ସଂପର୍କରେ ବୁଝାଇଥିଲେ । ଏହି ଆଇନ ଦ୍ୱାରା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ଗାଙ୍ଗୁଲୀ ଉପସ୍ଥିତ ଶରଣାର୍ଥୀଙ୍କୁ ଆଶ୍ୱସନା ଦେଇଥିଲେ ।
