ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଛି 78ଟି ଆଇପିଏସ୍ ପଦବୀ । ଏନେଇ ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଖାଲି ପଡ଼ିଥିବା ଆଇପିଏସ୍ ପଦବୀକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ କେତେ ରହିଛି ? ଏହି ପଦବୀ କେତେ ବୃଦ୍ଧି ପାଇଥିଲା ? ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଯୋଗା ଯୋଗ ନକରିବାର କାରଣ କ’ଣ ? ରାଜ୍ୟ କ୍ୟାଡରର ଆପିଏସ୍ ଅଫିସରଙ୍କ ମଧ୍ୟରୁ କେତେ ଜଣ ସେଣ୍ଟ୍ରାଲ ଡେପୁଟେସନ୍ରେ ଅଛନ୍ତି ? କେତେ ଜଣ 12 ବର୍ଷରୁ ଅଧିକ ହେବ ରାଜ୍ୟ ବାହାରେ ଅଛନ୍ତି ?
ବିଧାୟକ ତାରା ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସର୍ବମୋଟ 78ଟି ଆଇପିଏସ୍ ପଦବୀ ଖାଲି ରହିଛି । ରାଜ୍ୟରେ ମୋଟ୍ 195ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ରହିଛି । ରାଜ୍ୟ ସରକାରଙ୍କ କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ବିଜ୍ଞପ୍ତି ସଂଖ୍ୟା 11052/10/2017-AIS-ii (A) ତାରିଖ 18-10-2018 ଏବଂ ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଜ୍ଞପ୍ତି ସଂଖ୍ୟା 36703/AIS-ii ତାରିଖ 19-12-2-2019 ଅନୁସାରେ ଆଇପିଏସ୍ ପଦବୀ 188ରୁ 195କୁ ବୃଦ୍ଧି ପାଇଛି ବୋଲି ତଥ୍ୟରେ ଦର୍ଶାଇଛନ୍ତି ମନ୍ତ୍ରୀ ।
ଏହା ସହ ଖାଲି ପଡ଼ିଥିବା ଆଇପିଏସ୍ ପଦବୀ ଗୁଡ଼ିକ ପତ୍ୟେକ୍ଷ ନିଯୁକ୍ତି ପ୍ରକ୍ରିୟାରେ ପୂରଣ ନିମନ୍ତେ ଅଧିକ ଯୋଗ୍ୟ ପ୍ରାର୍ଥୀ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିୟମିତ ଭାବେ ଅନୁରୋଧ କରାଯାଉଛି ବୋଲି ନିଜ ଲିଖିତ ଉତ୍ତର କହିଛନ୍ତି ମନ୍ତ୍ରୀ ।
ସେ ଆହୁରି ମଧ୍ୟ ଉତ୍ତରରେ କହିଛନ୍ତି, ରାଜ୍ୟ କ୍ୟାଡରର ଆଇପିଏସ୍ ଅଫିସରଙ୍କ ମଧ୍ୟରୁ 29 ଜଣ ସେଣ୍ଟ୍ରାଲ ଡେପୁଟେସନ୍ରେ ଅଛନ୍ତି । ସେଥିରୁ ତିନି ଜଣ 12 ବର୍ଷରୁ ଅଧିକ ହେବ ରାଜ୍ୟ ବାହାରେ ଅଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।

