ନୂଆଦିଲ୍ଲୀ/ଭୁବନେଶ୍ୱର: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରଣାଳୟର ପୃଥକ ପୃଥକ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗରେ ବିଗତ ୫ ବର୍ଷରେ କରାଯାଇଥିବା କାମକୁ ଦୁଇରୁ ତିନି ଗୁଣା କରାଯିବ । ଅନୁରୂପ ଭାବେ ଷ୍ଟିଲ୍ ବିଭାଗରେ ଗତ ୫ ବର୍ଷରେ ଅନେକ ଗୁଡିଏ ପଦକ୍ଷେପ ନିଆଯାଇ ଭଲ କାମ ଆରମ୍ଭ କରାଯାଇଥିବା ବେଳେ ଏହି ବିଭାଗର କାମକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । ଦୁଇଟି ଯାକ ବିଭାଗର ପୃଥକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସାମ୍ବାଦିକଙ୍କୁ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ୱ କେନ୍ଦ୍ରରେ ଇସ୍ପାତ ବିଭାଗର ଦାୟିତ୍ୱ ନେଇଥିବା ଯୋଗୁଁ ଜଣେ ଓଡିଆ ଭାବେ ଏହି ବିଭାଗର ଦାୟିତ୍ୱ ନେବା ଗୌରବର ବିଷୟ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ସରକାରର ଗତ ୫ ବର୍ଷରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗରେ ଅନେକ ସୁଧାର ଆସିଥିବା ବେଳେ ଏହି କ୍ଷେତ୍ରରେ ଅନେକ ଗୁଡିଏ ପ୍ରକଳ୍ପ କରାଯିବା ସହ ନୂଆ ପଦକ୍ଷେପ ନିଆଯାଇଛି । ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ମୋଦି ସରକାରଙ୍କ ଉର୍ଜା ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରଥମ ୫ ବର୍ଷ ସଫଳତାର ସହ କାର୍ଯ୍ୟ କରିଛି । ଫଳସ୍ୱରୂପ ଭାରତର ଜନସାଧାରଣମାନେ ମୋଦିଜୀଙ୍କୁ ପୁଣି କାମ କରିବାର ଦାୟିତ୍ୱ ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ କାମ ଦ୍ରୁତ ଗତିରେ ଚାଲୁଥିବା ବେଳେ ଏହାକୁ ମଧ୍ୟ ତ୍ୱରାନିତ କରାଯିବ । ଭାରତବର୍ଷରେ ୪୦୦ ଜିଲ୍ଲାରେ ସିଟି ଗ୍ୟାସ୍ ନେଟୱାର୍କ ବିସ୍ତାରିତ ହୋଇସାରିଥିବା ବେଳେ ଆଗାମୀ ଦିନରେ ଏହାର କ୍ରିୟାନ୍ୱୟନକୁ ସରଳୀକରଣ କରିବା ଦିଗରେ ଗୁରୁତ୍ୱରୋପ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
