ବରୀ: ବରୀରେ ଏକ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେଠାରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ବିକାଶ କରିବାକୁ ଚାହୁ ନାହାନ୍ତି । 19 ବର୍ଷ ଧରି ଶାସନ କରିବା ପରେ ମଧ୍ୟ ରାଜ୍ୟରେ ଆଜି ଲୋକମାନେ ପିଇବା ପାଣି ଟୋପାଏ ପାଇବାକୁ ଡହଳ ବିକଳ ହେଉଛନ୍ତି । ସେ କହିଛନ୍ତି ବରୀରେ ବିନା ପିସିରେ ସରକାରୀ ଘର ମିଳୁନାହିଁ । ଏହି ସରକାର ପିସିରେ ଚାଲିଛି । ସାଧାରଣ ଲୋକମାନେ ପିସିରେ ପେଶି ହେଉଛନ୍ତି । ଖାଲି ସେତିକି ନୁହେଁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୁର୍ଣ୍ଣ ବିଗିଡ଼ି ଯାଇଥିବା ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେବା ପରେ ପାଖାପାଖି ୧୦ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଦିଆଯାଇଛି । ଯାଜପୁର ଜିଲ୍ଲାରେ ୬୩ ହଜାରରୁ ଅଧିକ ଘର ଦିଆଯାଇଛି । କିନ୍ତୁ ତାହା ଏଠାରେ ଲୋକଙ୍କ ପାଖରେ ପହଂଚି ନାହିଁ । ବରୀ ବ୍ଲକରେ ବିନା ପିସିରେ ସରକାରୀ ଘର ମିଳୁନାହିଁ । ବିଧାୟକ ଓ ଦଲାଲ ମାନଙ୍କୁ ହାତଗୁଞ୍ଜା ନ ଦେଲେ ଘର ନିର୍ମାଣ ହେଉନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ସେ କହିଛନ୍ତି ଯେ, ବରୀର ବଳିଦାନ ଓଡିଆ ଲୋକମାନେ କେବେ ଭୁଲି ପାରିବେ ନାହିଁ । ଗତ ୨୧ ଜାନୁଆରୀରେ ବରୀ ବ୍ଲକର ଆଙ୍ଗୁଡା ପଂଚାୟତରେ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ । ସେହି ଚାଷୀ ଭାଇମାନେ ଆଜି ଏକାଠୀ ହୋଇଛନ୍ତି ରାଜ୍ୟ ସରକାରକୁ ଜବାବ ମାଗିବା ପାଇଁ । ୧୯ ବର୍ଷ ହେଲା ରାଜ୍ୟରେ ଏକ ଅପାରଗ, ସ୍ଥାଣୁ, ସମ୍ବେଦନହୀନ, ଦୁର୍ନୀତିଗ୍ରସ୍ତ ଓ ମିଛୁଆଙ୍କ ସରକାର ଚାଲିଥିବା କହି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି । ଆଗାମୀ ନିର୍ବାଚନରେ ଏହାର ଜବାବ ମାଗିବା ଦରକାର ବୋଲି ସେ ଆହ୍ୱାନ୍ ଦେଇଛନ୍ତି ।
ଧର୍ମେନ୍ଦ୍ର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ପାଇଁ ଏକ ମେଡିକାଲ କଲେଜ ଦେଇଛନ୍ତି ହେଲେ ରାଜ୍ୟ ସରକାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଜିଲ୍ଲାରେ ମୋଟ ୨୦୭ଟି ଡାକ୍ତର ପଦବୀ ଥିବା ବେଳେ ଅନେକ ପଦବୀ ଖାଲି ପଡ଼ିଛି । ସ୍ଥାନୀୟ ଜନପ୍ରତିନିଧୀ ମୁଖ୍ୟମନ୍ତ୍ରୀଙ୍କର ରାତି ଅଧିଆ ବନ୍ଧୁ କହି ଧର୍ମେନ୍ଦ୍ର ତାତ୍ସଲ୍ୟ କରିଛନ୍ତି ।
ତେବେ ଏହି ଅବସରରେ ଉଭୟ କଂଗ୍ରେସ ଓ ବିଜେଡି ମୁଖିଆଙ୍କୁ ସମାଲୋଚନା କରିବାକୁ ମଧ୍ୟ ଭୁଲି ନାହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ଦଳ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହେଉଛନ୍ତି ଉଭୟ ପଟ୍ଟନାୟକ । କିନ୍ତୁ ଉଭୟଙ୍କୁ ଖଣି ମାଫିଆ ଚଲାଉଛନ୍ତି । ଚିଟଫଣ୍ଡର ଦଲାଲମାନେ ଓ ଦୁର୍ନୀତିଗ୍ରସ୍ତ ଲୋକମାନେ ମଧ୍ୟ ତାଙ୍କୁ ଚଳାଉଛନ୍ତି । ସେମାନଙ୍କ ଏଭଳି ନାଟକକୁ ସମାପ୍ତ କରିବାର ସମୟ ଆସିଛି କହି କର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସେହି ଦୁର୍ନୀତି ଗ୍ରସ୍ତ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି । ଆଗାମୀ ନିର୍ବାଚନରେ ଏହି ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ପଡ଼ିବ ଏବଂ ବରୀର ବିକାଶ ପାଇଁ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।