ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି । ପୁରୁଣା କଥାକୁ ଦୋହରାଇବା ସହ ବିଜେପି ସରକାରର ଅନେକ ସଫଳତା କଥା ବଖାଣିଛନ୍ତି । ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଆସୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ଫାଇଦା ପାଇପାରୁ ନାହାନ୍ତି ଓଡ଼ିଶାବାସୀ । ଅନେକ ଟଙ୍କା ଓଡ଼ିଶାକୁ ଆସିଥିଲେ ମଧ୍ୟ ତାହା ଖର୍ଚ୍ଚ କରିପାରୁ ନାହାନ୍ତି ।
ସେ କହିଛନ୍ତି ସାରା ଦେଶ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିଥିବା ବେଳେ ଓଡ଼ିଶାବାସୀ ଏଥିରୁ ବଞ୍ଚିତ ଅଛନ୍ତି । ଆୟୁଷ୍ମାନକୁ ଓଡ଼ିଶାରେ ଲାଗୁ ନକରି ଗରିବଙ୍କୁ ହତାଶ କରିଛନ୍ତି ନବୀନ । ୨୦ ବର୍ଷ ଶାସନ କରିବା ସତ୍ତ୍ୱେ ନବୀନ ଓଡ଼ିଶାର ବିକାଶ କରିପାରି ନାହାନ୍ତି ବୋଲି ରାଜନାଥ ସିଧା ସଳଖ ଟାର୍ଗେଟ କରିଛନ୍ତି । ଏହି ଅବସରରେ ସେ ପୁଣି କହିଛନ୍ତି ଯେ, ବିଜେପିକୁ ମାତ୍ର 5 ବର୍ଷର ସମୟ ଦିଅନ୍ତୁ ଓଡ଼ିଶାବାସୀ, 19 ବର୍ଷରେ ଯାହା କରିପାରି ନାହିଁ ବିଜେଡି ବିଜେପି ସେଭଳି ବିକାଶ କରି ଦେଖାଇବ । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ପରିଚୟ ଦେବ ବିଜେପି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟରେ ବିଜେପି ସରକାର ଚାଲିଛି ସେଠାର ବିକାଶ କିଭଳି କରାଯାଉଛି ତାହା ଥରେ ଦେଖିଆସିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଥର ଓଡ଼ିଶାରେ ବିଜେପି ସରକାର ଆସିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଦେଖନ୍ତୁ ରାଜନାଥଙ୍କ ସମ୍ପୁର୍ଣ୍ଣ ଭାଷଣ:-