ଭୁବନେଶ୍ୱର: ବିଜେଡି ପ୍ରେମରେ ପଡିଛନ୍ତି ପାଣ୍ଡିଆନ । 5T ସଚିବଙ୍କ କିଛି ଏଭଳି କାର୍ଯ୍ୟ ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରି ତୋଳିଛି । ଦେବଗଡ଼ ଜିଲ୍ଲାକୁ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଗସ୍ତ କରିବା ସମୟରେ ଯେଉଁ ଗାଡିଟି ବ୍ୟବହାର କରିଥିଲେ ସେ ଗାଡିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବିଜେଡି ନେତାଙ୍କ ଗାଡିରେ 5T ସଚିବ ସରକାରୀ ଗସ୍ତ କରିବାର ଦୃଶ୍ୟ ଲାଗିଛି ଅର୍ଗସ ହାତରେ ।
ଖୋଲିଲା ସଚିବଙ୍କ ଜିଲ୍ଲା ବୁଲାର ଗୁମର, ଆଉ ପଦାରେ ପଡିଲା ପାଣ୍ଡିଆନଙ୍କ ବିଜେଡି ପ୍ରେମ । ବିଜେଡି ନେତାଙ୍କ ଗାଡିରେ ବୁଲୁଛନ୍ତି ଖୋଦ୍ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ଏପରି ଅଭିଯୋଗ ଆଣିଛନ୍ତି ବିରୋଧୀ । 5T ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ବରରୁ ସିଧାସଳଖ ହେଲିକପ୍ଟର ଯୋଗେ ଦେବଗଡରେ ପହଞ୍ଚିବା ପରେ ଏକ ଗାଡ଼ି ବ୍ୟବହାର କରିଛନ୍ତି । ସେହି ଗାଡ଼ି ନମ୍ବର ହେଉଛି OD28A 0333 । ଯାହାର ମାଲିକାନା ରହିଛି ଜଣେ ବିଜେଡି ନେତାଙ୍କ ନାମରେ । ଏ କଥା ଆମେ କହୁନୁ ବରଂ ବାହାନ ଆପ୍ ଓ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଯେ OD28A 0333 ନମ୍ବର ଗାଡିର ମାଲିକ ହେଉଛନ୍ତି ନିଶାନି ବେହେରା । ଆଉ ଏହି ନିଶାନି ବେହେରା ହିଁ ହେଉଛନ୍ତି ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଯାହାକୁ ଖୋଦ୍ ପ୍ରମାଣିତ କରୁଛି ସରକାରଙ୍କ ତଥ୍ୟ । ସରକାରୀ ତଥ୍ୟ କହୁଛି ନିଶାନି ବେହେରା 2017 ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଜିଲ୍ଲା ପରିଷଦ ପ୍ରୀର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି 5T ସଚ୍ଚିବ ଭି.କେ ପାଣ୍ଡିଆନ କାହିଁକି ସରକାରୀ ଗାଡି ବଦଳରେ ବିଜେଡି ନେତାଙ୍କ ଗାଡି ବ୍ୟବହାର କରିଥିଲେ । ବ୍ୟବହାର ପଛର କାରଣ କଣ ?
ତେବେ ଏହାକୁ ନେଇ ପୂର୍ବତନ ପ୍ରଶାସନିକ ଅଧିକାରୀ କହିଛନ୍ତି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୁସ୍ କରିବାକୁ ଯାଇ ସରକାରୀ କାର୍ଯ୍ୟ ଆଳରେ ବିଜେଡିର ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଲାଗି ପଡିଛନ୍ତି ।
ସେପଟେ କିନ୍ତୁ ଉନ୍ନୟନ କମିଶନର ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଶୁଣାଇଛନ୍ତି ଚରମ ବାଣୀ । ଏଣିକି ସରକାରୀ ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ଆଉ ସର୍କିଟ ହାଉସ କିମ୍ବା ଆଇବିରେ ଭୋଜନ କରିପାରିବେ ନାହିଁ । କୌଣସି ଆହାର କେନ୍ଦ୍ର ନଚେତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ସରକାରୀ ଅଧିକାରୀ । ଖାଲି ସେତିକି ନୁହେଁ ପ୍ରତି ମାସର ପ୍ରଥମ ସପ୍ତାହରେ ଅନ୍ତତଃ 4 ଦିନ ଗୋଟିଏ ଜିଲ୍ଲାରେ କଟାଇବେ ସଚିବ ମାନେ । ସେହିଭଳି ଜିଲ୍ଲାର ଦୁଇଟି ବ୍ଲକରେ ରାତ୍ରି ଯାପନ କରି ଲୋକଙ୍କ ସମସ୍ୟା ବୁଝିବା ସହ ତାହାର ନିରାକରଣ ପାଇଁ ସମାଧାନର ବାଟ ଖୋଜିବେ ।
ତେବେ ଏଭଳି ନିଷ୍ପତି ନୂଆ ନୁହେଁ ପୂର୍ବରୁ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ଅକ୍ଟୋବର 15 ତାରିଖ 2015 ମସିହାରେ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ସଚିବ ମାନଙ୍କୁ 4 ଦିନ ଜିଲ୍ଲା ଗସ୍ତରେ ଯିବା ଲାଗି ନିର୍ଦେଶ ଦେଇଥିଲେ । ମାତ୍ର ପରବର୍ତି ସମୟରେ ହାତ ଗଣତି କେତେ ଜଣ ସଚିବଙ୍କୁ ଛାଡି ଦେଲେ ଅନେକ ସଚିବମାନେ ଗାଁ ଗହଳିକୁ ଗସ୍ତ କରିବା ତ ଦୂରର କଥା ଜିଲ୍ଲା ଗସ୍ତରେ ଯିବାର ନଜିର ମଧ୍ୟ ନଥିଲା । ଏପରି ପରିସ୍ଥିତିରେ ବର୍ତ୍ତମାନ ଉନ୍ନୟନ କମିଶନରଙ୍କ ନିର୍ଦେଶକୁ ସଚିବମାନେ କେତେ ପାଳନ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
ମନ୍ତ୍ରୀ ଓ ସଚିବମାନ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ପ୍ରସଙ୍ଗକୁ ସରକାର କାହିଁକି ହଠାତ୍ ଏତେ ଗୁରୁତ୍ବ ଦେଉଛନ୍ତି । ପ୍ରକୃତରେ ସରକାରୀ ଗସ୍ତ ଆଳରେ ଦଳୀୟ ସଙ୍ଗଠନକୁ ମଜଭୁତ ଓ ସଜାଡିବାରେ ଲାଗିନାହନ୍ତି ତ ମୁଖ୍ୟମନ୍ତ୍ରୀ । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ଦେଖିବା ଭଳି ବିଜେଡି ନେତାଙ୍କ ଗାଡିରେ ପାଣ୍ଡିଆନଙ୍କ ସରକାରୀ ଭ୍ରମଣ ହିଁ ଏହି ପ୍ରଶ୍ନକୁ ସତ ପ୍ରମାଣିତ କରୁଛି ।
ଅର୍ଗସ ବ୍ୟୁରୋ: ରାଜ୍ୟରେ କ୍ରମାଗତ ଭାବେ କମିଚାଲିଛି ମହିଳାଙ୍କ ସଂଖ୍ୟା। ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ଅନୁପାତ । ଏବେ ଓଡ଼ିଶାରେ ପ୍ରତି ଏକ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମାତ୍ର ୯୨୫ । ସବୁଠୁ ବଡ଼ କଥା ହେଲା ଗତ ୪ ବର୍ଷ ହେଲା ଲଗାତାର ଏହି ସଂଖ୍ୟା କମିଚାଲିଛି। ଲିଙ୍ଗ ଅନୁପାତ ଦେଖିଲେ ପୁରୁଷଙ୍କ ତୁଳନାରେ ହରିୟାଣାରେ ମହିଳାଙ୍କ ସଂଖ୍ୟା ସବୁଠାରୁ କମ୍। କିନ୍ତୁ ସେ ରାଜ୍ୟରେ ଏବେ ମହିଳାଙ୍କ ସଂଖ୍ୟା ବଢୁଛି । ଅତ୍ୟନ୍ତ ଉଦବେଗଜନକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କହିଛି ବିଜେଡି ଶାସନରେ ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି।
ରାଜ୍ୟରେ ମହିଳା ହିଂସା ଏବଂ ମହିଳା ବିରୋଧୀ ଅପରାଧ ଆଶାତୀତ ଭାବେ ବଢିଛି । ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବଢ଼ି ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ୧ନଂ ରାଜ୍ୟ । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢ଼ିଛି। ଏହି ସଂଖ୍ୟା ୨୦୨୨ରେ ୩୧୭ ଥିବାବେଳେ ୨୦୨୩ରେ ୨୬୯୧ ଛୁଇଁଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮% । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଲା କନ୍ୟା ଭ୍ରୁଣ ହତ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି।
ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ସଚେତନତା ଅଭାବରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ। କଟକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଆଡାହକ କୋର୍ଟ ଦେଲେ ଏହି ନିର୍ଦ୍ଦେଶ। ୨୦୧୯ ମସିହା ଡିସେମ୍ବର ମାସରେ କଟକ ମଧୁପାଟଣା ଥାନା ଅଂଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଅଭିଯୁକ୍ତ ଗୋପାଳ ସିଂ ବିରୋଧରେ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହ ୧୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣର ରାଶି ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ। ୬ ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଅଜା ହିଁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ମଧୁପାଟଣା ଥାନାରେ ଏତଲା ଦେଇଥିଲା ଚାଇଲ୍ଡ ଲାଇନ। ତେବେ ପୋଲିସ ଏତଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକରେ ଗଛମୂଳେ ପାଠ ପଢ଼ିବା ଦୃଶ୍ୟ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ପୁଣି ଏକ ବିଦ୍ୟାଳୟରେ ଧାନ ଗୋଦାମରେ ପାଠ ପଢା ଦୃଶ୍ୟ ଏବେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟ ଗୁଡ଼ିକୁ ୫-ଟି ରେ ସାମିଲ କରି ରୂପାନ୍ତରିତ କରାଯାଉଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁନ୍ଦର ପରିବେଶ ସାଙ୍ଗକୁ ଉନ୍ନତ ପ୍ରଣାଳୀର ଶ୍ରେଣୀ ଗୃହ ଯୋଗାଇ ଦିଆଯାଉଛି। ହେଲେ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟର ଦୟନୀୟ ସ୍ଥିତି ଆପଣଙ୍କୁ ବ୍ୟଥିତ କରିବ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ନିକଟସ୍ଥ ଏକ ଧାନ ଗୋଦାମ ଘରେ ତଳେ ବସି ତିନୋଟି ଶ୍ରେଣୀର ବାଳିକା ମାନେ ପାଠ ପଢୁଥିବା ଦୃଶ୍ୟ ଶିକ୍ଷା ବିଭାଗର କରୁଣ ଚିତ୍ର ପଦାରେ ପକାଇଛି।
୧୯୯୫ ମସିହାରୁ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୨୫ ଜଣ, ନବମ ଶ୍ରେଣୀରେ ୪୦ ଜଣ ଓ ଦଶମ ଶ୍ରେଣୀରେ ୩୬ ଜଣ ବାଳିକା ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଓ ପାଞ୍ଚ ଜଣ ଶିକ୍ଷୟତ୍ରୀ ସମେତ କର୍ମଚାରୀ ଚାରି ଜଣ ରହିଛନ୍ତି।
ବିଦ୍ୟାଳୟ ରୂପାନ୍ତରିତ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ 'ମୋ ସ୍କୁଲ୍' ଯୋଜନାରେ ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ଏବେ 'ଆମ ଓଡ଼ିଶା - ନବୀନ ଓଡ଼ିଶା ' ଯୋଜନାରେ ୨.୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ପୂର୍ବରୁ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ନୂତନ ଭାବେ ଅତିରିକ୍ତ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହେବା ପରେ ଏବେ ଦୁଇ ଶ୍ରେଣୀ ଗୃହ ରୂପାନ୍ତରିତ ଚାଲୁରହିଛି। ଫଳରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଆଦୌ ନାହିଁ। ଫଳରେ ପାଞ୍ଚ ମାସ ହେବ ପାଠ ପଢା ଏଣେତେଣେ ବେସରକାରୀ ଘରେ ଚାଲୁରହିଛି।
ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ବେସରକାରୀ ଘରେ ପାଠପଢା ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଘର ମାଲିକ ମନା କରିଦେଲେ। ଏବେ ନିକଟସ୍ଥ ଏକ ଧାନ ଗୋଦାମ ଘରେ ଧାନ ମହଜୁଦ ଥାଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା ଚାଲୁ ରହିଛି। ଯାହାକି ଶିକ୍ଷାବିତ୍ ତଥା ଅଭିଭାବକ ମାନଙ୍କୁ ଆନ୍ଦୋଳିତ କରିଛି। ଅନ୍ୟପଟେ ରୂପାନ୍ତରିତ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ସଭ୍ୟ ଅଭୟ ବଳ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର