ପୋଷ୍ଟର ଓ୍ବାର ଭିତରେ ଏଥର ନିର୍ବାଚନ ବୈତରଣୀ ପାର ହେବାକୁ ଦୁଇଦଳ ଭିତରେ ଚାଲିଛି କଡା ଟକ୍କର । ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳମାନଙ୍କ ଭିତରେ ଅନ୍ୟକୁ ମାତ ଦେବା ପାଇଁ ରଣନୀତି ମଧ୍ୟ ଘନ ଘନ ବଦଳୁଛି । ରାଜ୍ୟରେ ତିନୋଟି ଯାକ ପ୍ରମୁଖ ଦଳ ଏବେ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ି ସାରିଲେଣି । ତେବେ ଗୋଟିଏ ପଟେ ମାର୍ଚ୍ଚ 29 ତାରିଖଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ନିର୍ବାଚନୀର ପ୍ରଚାର ଆରମ୍ଭ କରିବାକୁ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ରୁ ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଏହି ପ୍ରଚାର ମଧ୍ୟରେ ସବୁଠାରୁ ବଡ଼ କଥା ହେଲା ଏବେ ଦେଖିବାକୁ ମିଳିଛି ପୋଷ୍ଟର ଯୁଦ୍ଧ । ବିଜେପି ଓ ବିଜେଡି ମଧ୍ୟରେ ଅଧିକ ପୋଷ୍ଟର ଓ୍ୱାର୍ ଦେଖିବାକୁ ମିଳିଛି ।
ନିର୍ବାଚନୀ ମଇଦାନରେ ଏବେ କେବଳ ବିଜେଡି ଓ ବିଜେପି ଲଢେଇ ଦେଖିବାକୁ ମିଳିଛି । ବିଜେଡି ଲୋକଙ୍କ ପାଖରେ ପହଁଚିବାକୁ ପୋଷ୍ଟର ମାଧ୍ୟମରେ ଚେଷ୍ଟା କରୁଛି । ବିଜେଡି ପୋଷ୍ଟରରେ ଲେଖାଅଛି : ମହିଳାଙ୍କ ଶକ୍ତି ନବୀନ , ନବୀନଙ୍କ ଚିହ୍ନ ଶଙ୍ଖ, ଗରିବଙ୍କ ପେଟ ଚିହ୍ନନ୍ତି ନବୀନ, ଚାଷୀଙ୍କ ପାଇଁ କାଳିଆ, କାଳିଆ ପାଇଁ ଶଙ୍ଖ, ଦେହପା କଥା ବୁଝନ୍ତି ନବୀନ । ଏଭଳି ପୋଷ୍ଟର ଦ୍ବାରା ସୋସିଆଲ ମିଡିଆରେ ବିଜେଡି ଲୋକଙ୍କ ପାଖରେ ପହଁଚି ଭୋଟ ହାତେଇବାକୁ ରଣନୀତି କରିଛି ବିଜେଡି ।
ବିଜେପି ମଧ୍ୟ ପୋଷ୍ଟର ଓ୍ବାର ରଣନୀତିରେ ପଛରେ ନାହିଁ । ବିଜେଡି ସରକାରକୁ ପ୍ରଶ୍ନବାଣରେ ଛନ୍ଦି ପକାଇଛି ବିଜେପି । ପୋଷ୍ଟରରେ ମୋଦି କ୍ୟାମ୍ପେନର ମଂଗ ଧରିଛନ୍ତି । ବିଜେପି ପୋଷ୍ଟରରେ ସରକାରଙ୍କ ବିଫଳତାର ପୋଲ ଖୋଲିଛି । ଅଧିକାଂଶ ପୋଷ୍ଟର ରାଜ୍ୟ ସରକାରଙ୍କ ବିଫଳତା ଓ ରାଜ୍ୟରେ ହେଉଥିବା ଦୁର୍ନୀତି ବିଷୟରେ ଲେଖା ରହିଛି । ରାଜ୍ୟରେ ହେଉଥିବା ମହିଳା ଅତ୍ୟାଚାର ବିରାଧରେ, ବିପର୍ଯ୍ୟସ୍ତ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା ପରିସ୍ଥିତି, ବେରୋଜଗାରକୁ ନେଇ ସ୍ୱର ଉତ୍ତୋଳନ କରିଛି ବିଜେପି ପୋଷ୍ଟର । ଏହା ସହ ମୋଦି ସରକାରଙ୍କ ଜନହିତକର ଯୋଜନାକୁ ମଧ୍ୟ ପୋଷ୍ଟରରେ ସ୍ଥାନ ଦେଇଛି ବିଜେପି ।
ବିଜେପି ପୋଷ୍ଟରରେ ରହିଛି ଦିନକୁ ଦିନ ବଢ଼େ ଦୁଷ୍କର୍ମ ବ୍ୟଭିଚାର ଆଉ ଦେଖିପାରିବିନି ! ଆଉ କେତେ ଦିନ? ନକଲି ଓଡ଼ିଆ ମିଶି ଆମକୁ ଲୁଟିବେ, ମୋ ପରି ଓଡ଼ିଆ ଯାଇ ଦାଦନ ଖଟିବେ ଆଉ କେତେ ଦିନ? (ବହୁତ ହେଲା 19 ବର୍ଷ, ରାଜ୍ୟ ସରକାର ବଦଳିବା ଦରକାର), ବାଟେ ଘାଟେ ମାଆ ଜନମେ ଛୁଆ ସରକାର ନୁହେଁ ଇଏ ପକ୍କା ବାହାପିଆ ଆଉ କେତେ ଦିନ? , ଲକ୍ଷେ ଛତିଶହଜାର କୋଟିର କେନ୍ଦ୍ରୀୟ ଯୋଜନା, ରାଜ୍ୟ ରାଜନୀତି ପାଇଁ ଆମେ ସେ ସବୁ ପାଉନା, ଆଉ କେତେ ଦିନ? , ନିଦା ବିଷ୍ଣୁ ସରକାର ଶିକ୍ଷା ବ୍ୟବସ୍ଥାରେ ଆମେ ଶିକ୍ଷକ ଆଜି ରାଜରାସ୍ତାରେ ଆଉ କେତେ ଦିନ? (ବହୁତ ହେଲା 19 ବର୍ଷ, ରାଜ୍ୟ ସରକାର ବଦଳିବା ଦରକାର), ଡାକ୍ତରଖାନାରେ ଯେତେ ସବୁ ଅବ୍ୟବସ୍ଥା, ରୋଗୀ ହୁଏ ଏଠି ବଡ଼ ହୀନସ୍ତା- ଆଉ କେତେ ଦିନ? ପିସି ଖିଆ ଲାଞ୍ଚୁଆ ରାଜ୍ୟ ସରକାର- ବିକାଶ ନୁହଁ, ବିନାଶ କରିଛ ଆମର- ଆଉ କେତେ ଦିନ? (ବହୁତ ହେଲା 19 ବର୍ଷ, ରାଜ୍ୟ ସରକାର ବଦଳିବା ଦରକାର) । ଏହା ସହ ମୋଦି ଅଛନ୍ତି ତ ସବୁ ସମ୍ଭବ - 40 ଲକ୍ଷ ମାଭଉଣୀଙ୍କୁ ମିଳିଲା ଧୂଆଁ ଯନ୍ତ୍ରଣାରୁ ମୁକ୍ତି-ନୂଆ ଆଶା ପୂରା ଭରସା- ମୋଦିଙ୍କ ସାଥେ ନୂଆ ଓଡ଼ିଶା,
ଚାଷ ଓ ଚାଷୀଙ୍କ ସମୃଦ୍ଧି ପାଇଁ ତତ୍ପର- ମୋଦି ସରକାର, ଶ୍ରମଜୀବିଙ୍କୁ ମାସିକ 3ହଜାର ଟଙ୍କାର ପେନସନ, ସଭିଙ୍କ ପାଇଁ ବ୍ୟାଙ୍କ ଖାତା- ସଭିଙ୍କ ପାଇଁ ସଂଚୟ, ସ୍ବାଭିମାନ ସହ ରୋଜଗାର ସୁଯୋଗ, ଗାଁ ଗାଁ ଘରେ ଘରେ ହେଲା ବିଜୁଳି ଆଲୁଅ ବ୍ୟବସ୍ଥା, ଭୂମିହୀନଙ୍କୁ ପଟାସହ ପକ୍କାଘର ବାସହୀନଙ୍କୁ ପକ୍କା ଘର- ନିର୍ଭର ପ୍ରତିଶ୍ରୁତି ବିଜେପିର, ଦକ୍ଷତା, ଉଦ୍ୟମିତା ଦେଲା ରୋଜଗାର, ଭବିଷ୍ୟତ ସୁନିଶ୍ଚିତ କଲେ ମୋଦି ସରକାର, ଘରେ ଘରେ ସମ୍ମାନ ପାଇଁ ଘରେ ଘରେ ନିର୍ମାଣ ହେଉଛି ଶୈାଚାଳୟ
ଏଭଳି ପୋଷ୍ଟର ଓ୍ବାର ଦେଖିବାକୁ ମିଳିବ ଏଥର ଦୁଇ ଦଳ ଭିତରେ । ତେବେ ଲୋକେ କାହା ପୋଷ୍ଟରକୁ ଅଧିକ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।