ଭୁବନେଶ୍ୱର: ଟିକେଟ୍ କାହାକୁ ମିଳିବ ତାକୁ ନେଇଥିଲା ସସପେନ୍ସ । ଟିକେଟ୍ ମିଳିବା ପରେ ଯେଉଁମାନେ ନିରାଶ ହୋଇଛନ୍ତି ସେମାନେ ଅସନ୍ତୁଷ୍ଟ ତାଲିକାରେ ନାମ ଲେଖାଇଛନ୍ତି । ଆଉ ଏହା ସହ ଆରମ୍ଭ ହୋଇଯାଇଛି ପାର୍ଟି ଅଫିସରେ ତାଲା ପକା ଅଭିଯାନ । ଅଫିସରେ ପସି ଭଙ୍ଗାରୁଜା । ଏହି କ୍ରମରେ ଆଜି(ଶନିବାର) ରାତିରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଅସନ୍ତୁଷ୍ଟଙ୍କ କ୍ରୋଧ ଦେଖିବାକୁ ମିଳିଥିଲା ।
ନିଜ ତାଙ୍କ ନେତାଙ୍କୁ ଟିକେଟ୍ ନମିଳିବାର ରାଗ ସୁଝାଇବାକୁ କଂଗ୍ରେସ ଅଫିସ ଉପରେ ଖୋଦ୍ କଂଗ୍ରେସ କର୍ମୀ କରିଛନ୍ତି ଆକ୍ରମଣ । ଅମିର ମହମ୍ମଦଙ୍କ ସମର୍ଥକ ଏଭଳି କାଣ୍ଡ କରିଥିବା କୁହାଯାଉଛି । ଭୁବନେଶ୍ୱର ଏକାମ୍ରରୁ ରଶ୍ମୀ ମହାପାତ୍ରଙ୍କୁ ଟିକେଟ୍ ମିଳିବାକୁ ବିରୋଧ କରି ଅମିରଙ୍କ ସମର୍ଥକ ଅଫିସ ମଧ୍ୟକୁ ପ୍ରବେଶ କରି ଗେଟ୍ ବାଡାଇବା ସହ ଚୌକି ଭାଙ୍ଗିଛନ୍ତି । ସେମାନେ ଅଫିସ ପରିସରରେ ଲାଗିଥିବା ହୋର୍ଡିଂ ଚିରିଦେଇଥିଲେ । ଅଫିସ ଝରକା ଭାଙ୍ଗିବା ସହ କମ୍ପ୍ୟୁଟର ଭାଙ୍ଗି ଦେଇଥିଲେ । ଏହାପରେ ଅଫିସ ମେନ୍ ଗେଟରେ ତାଲା ପକାଇ ଚାଲିଯାଇଥିଲେ ।
କଂଗ୍ରେସରେ ଦଳୀୟ ଟିକେଟକୁ ନେଇ ଅସନ୍ତୋଷ ଲାଗି ରହିଛି । ଆଜି ନିଳଗିରି ଓ ଝାରସୁଗୁଡାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେଠି ମଧ୍ୟ କଂଗ୍ରେସ କର୍ମୀ ଭଙ୍ଗାରୁଜା କରିବା ସହ ଅଫିସରେ ତାଲା ପକାଇଦେଇଥିଲେ
