ପୁରୀ: ଅଁଳାନବମୀ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପିନାଥ ମନ୍ଦିର । ରାତି ପାହିଲେ ପବିତ୍ର ଅଁଳାନବମୀ । ବର୍ଷକରେ ଏହି ଗୋଟିଏ ଦିନ ରାଧାପାଦ ଦର୍ଶନ ହେଉଥିବାରୁ ଦୁରଦୁରାନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଚଳିତଥର ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଏକପାଖିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଭିଡକୁ ଦୃଷ୍ଟିରେ ରଖି 22 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ତେବେ ଅଁଳାନବମୀ ପାଇଁ ରାତି ୧୨ଟାରେ ମନ୍ଦିର ଫିଟାଯାଇ ମଙ୍ଗଳଆଳତୀ, ମର୍ଦ୍ଦନ, ଅବକାଶ ନୀତି, ନଟବର ବେଶ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ମଦନମୋହନଦେବ ଭୋଗ ପରେ ଦେବନୀତି ଶେଷ କରାଯିବ । ଦେବନୀତି ଶେଷ ହେବା ପରେ ଭୋର 4ଟାରୁ ଦର୍ଶନ ଆରମ୍ଭ ହେବ ।
