ପୁରୀ: ଭାବର ଠାକୁର ଜଗନ୍ନାଥ । କେତେ ଲୀଳା, କେତେ ଖେଳା ତା'ର । ତାକୁ ନେଇ ଲେଖା ହୋଇଛି କେତେ ପୁରାଣ, କେତେ କାହାଣୀ । ନବଦିନାତ୍ମକ ଯାତ୍ରା ସାରି ଆସନ୍ତାକାଲି ରଥଯାତ୍ରାରେ ଭାଇଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ଠାକୁର । ଫେରିବା ବାଟରେ ମାଉସୀ ମା'ଙ୍କ ମନ୍ଦିରରେ ଅଟକିବ ରଥ । ମାଉସୀ ମା'ର ହାତ ତିଆରି ପୋଡ଼ପିଠାରେ ତାଙ୍କର ଭାରି ଶ୍ରଦ୍ଧା । ସେଠାରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼ିବ ।
ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ରହିଛି ମାଉସୀ ମା' ମନ୍ଦିର । ବିଶ୍ୱାସ ଅନୁଯାୟୀ ବଡ଼ଦାଣ୍ତର ମଧ୍ୟ ଭାଗରେ ଥିବା ଶ୍ରୀଜଗନ୍ନାଥଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ । ପ୍ରଳୟ କାଳରେ ଦେବୀ ଜଳ ଗ୍ରାସ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିଲେ । ପରମ୍ପରା ଅନୁଯାୟୀ ମାଉସୀ ମା ବାହୁଡ଼ା ଦିନ, ଶ୍ରୀମନ୍ଦିର ଅଭିମୁଖେ ରଥ ଫେରୁଥିବା ସମୟରେ ପୁତୁରା, ଝିଆରୀଙ୍କୁ ଆଦର ଓ ଶ୍ରଦ୍ଧାରେ ପ୍ରସ୍ତୁତ ହେଉଥିବା ଏହି ପୋଡ଼ପିଠା ଖୁଆଇବେ । ଏହା ୩୦୦ ବର୍ଷର ପରମ୍ପରା ବୋଲି ମାଉସୀ ମା’ଙ୍କ ସେବାୟତ କହିଛନ୍ତି ।
ମାଉସୀମା ଗଳିସ୍ଥିତ ସ୍ୱର୍ଗତ ରଘୁନାଥ ଦାଶଙ୍କ ପରିବାର ପକ୍ଷରୁ ହେରାପଞ୍ଚମୀ ଦିନଠାରୁ ପାରମ୍ପରିକ ବିଧିରେ ଚୁଲି ନିର୍ମାଣ କରାଯାଇ ପୋଡ଼ପିଠା ପ୍ରସ୍ତୁତ ହେଉଛି । ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ ଏବଂ ଘିଅର ଏକ ମିଶ୍ରଣ ପ୍ରସ୍ତୁତ ହୁଏ । ଏହାକୁ ବାମ୍ପରେ ସିଝାଯିବା ପରେ ସ୍ୱତନ୍ତ୍ର ଭାବେ କଟାଯାଇ ଘିଅରେ ଛଣାଯାଇଥାଏ । ୩ଟି କୁଡ଼ୁଆରେ ରଖି ଏହାକୁ ମହାପ୍ରଭୁଙ୍କ ରଥ ନିକଟରେ ଭୋଗ କରାଯାଏ । ବର୍ଷକରେ ଗୋଟିଏ ଥର ଏହି ଭୋଗ ହେଉଥିବାରୁ ଏହାର ବ୍ୟବସାୟୀ କରଣ କରାଯାଏ ନାହିଁ ।
ବାହୁଡ଼ା ଯାତ୍ରାରେ ଫେରିବା ବେଳେ ତିନିରଥ ମାଉସୀମା ମନ୍ଦିର ନିକଟରେ ଅଟକିଯାଏ । ପ୍ରତି ରଥ ପାଖରେ କୁଡ଼ୁଆରେ ପୋଡ଼ପିଠା ଲାଗି ହୋଇଥାଏ । ଏହା ପରେ ଭୋଗ ହୋଇଥିବା ଏହି ପିଠାକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ ।
