ପୁରୀ: ରାଜ୍ୟରେ ନିର୍ବାଚନୀ ମାହୋଲ ଜୋରସୋରରେ ଚାଲିଥିବାବେଳେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଉତ୍ତେଜନା । ପୁରୀ ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ନିର୍ବାଚନ ଡ୍ୟୁଟିରେ ଆସିଥିବା ଆନ୍ଧ୍ର ପୋଲିସ ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇବା ଘଟଣାକୁ କେନ୍ଦ୍ର କରି ଜେଟିଏସ୍ (ଜଗନ୍ନାଥ ଟେମ୍ପୁଲ ସ୍କ୍ବାଡ୍)ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଆନ୍ଧ୍ର ପୋଲିସ କର୍ମଚାରୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ସେମାନଙ୍କ ମୋବାଇଲରେ ଥିବା ଫଟୋଗୁଡ଼ିକୁ ଡିଲିଟ୍ କରାଯାଇଛି । ତେବେ ଏହି ଘଟଣା ସଂପର୍କରେ ଗାରଦରେ ରିପୋର୍ଟ ହୋଇନାହିଁ। ନିର୍ବାଚନ ଡ୍ୟୁଟିରେ ଆସିଥିବା ଆନ୍ଧ୍ର ପୋଲିସ ଯବାନମାନେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ସକାଳେ ୨୫ରୁ ଅଧିକ ଯବାନ୍ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କୁ ଗେଟ ଠିକ୍ ଭାବେ ଯାଞ୍ଚ କରାଯାଇନଥିଲା। ଫଳରେ ସେମାନଙ୍କ ମଧ୍ୟରୁ ଏକାଧିକ ଯବାନ୍ ମୋବାଇଲ୍ ଫୋନ୍ ଧରି ଦେଉଳ ଭିତରକୁ ପଶିଥିଲେ।
ସେଠାରେ ବୁଲିବା ଓ ଦର୍ଶନ କରିବା ସମୟରେ ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇଥିଲେ। ଯବାନଙ୍କ ଏହି କାର୍ୟ୍ୟକୁ ଦେଖି ଆପତ୍ତି ଉଠାଇଥିଲେ ଜେଟିଏସ୍ କର୍ମଚାରୀ। ପ୍ରଥମେ ସେମାନଙ୍କୁ ବାରଣ କରିଥିଲେ। ମୋବାଇଲ୍ ଭିତରକୁ ଆଣିବା କଥା ନୁହେଁ, କାହିଁକି ଆଣିଲ ବୋଲି ପଚାରିଥିଲେ। ହେଲେ ଏହାର ଜବାବରେ ଆନ୍ଧ୍ର ପୁଲିସର ଯବାନମାନେ ନାଲି ଆଖି ଦେଖାଇଥିଲେ। ବାହାରକୁ ପଳାଇଯିବାକୁ ଜେଟିଏସ୍ କର୍ମଚାରୀମାନେ କହିଥିଲେ ମଧ୍ୟ ସେମାନେ ନ ଶୁଣି ଫଟୋ ଉଠାଇଥିଲେ। ଏକାଧିକ ଯବାନ୍ ଥିବାରୁ ଜେଟିଏସର ଦୁଇ ଜଣିଆ ସ୍କ୍ବାଡ୍ ସେମାନଙ୍କୁ ସାମ୍ନା କରିପାରିନଥିଲା। ପରେ ୮ରୁ ଅଧିକ କର୍ମଚାରୀ ଆସି ବାରଣ କରିଥିଲେ।
